ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି। ଶକ୍ତି ସୌରଭ ବାଇକ୍ ଯୋଗେ ଟାଟା ଷ୍ଟିଲ୍ ପ୍ଲାଣ୍ଟକୁ ନିଜ କାର୍ଯ୍ୟସ୍ଥଳୀକୁ (ଡିଉଟି) ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ମୁତାବକ, ବଅଁରପାଳ ଆଡ଼ୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାଠ ବୋଝେଇ ପିକଅପ୍ ( OD-08-U-9879) ବାଇକ୍କୁ ସାମ୍ନାପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଶକ୍ତି ସୌରଭ ବାଇକ୍ରୁ ଛିଟିକି ପଡ଼ି ରକ୍ତାକ୍ତ ହୋଇଯାଇଥିଲେ। ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଅଧିକ ତଦନ୍ତ ଜାରି ରଖିଛି।


