ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆଜିର ଉଦଘାଟନୀ ମ୍ୟାଚ ଓଡିଶା ପୋଷ୍ଟାଲ ଓ ସୋଲାର ପାୱାର କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୋଷ୍ଟାଲ ଦଳ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭରରେ ସାତ ଉଇକେଟ ହରାଇ ୧୩୭ ରନ୍ କରିଥିଲେ ।ସୋଲାର କ୍ଲବ ୧୯ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୫ ରନ୍ କରିଥିଲା। ପୋଷ୍ଟାଲର ବୋଲର ସଏଦ ଜାକି ୪ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ।
ଅନୁଗୁଳ କ୍ରିକେଟ ସଂଘ ସଭାପତି ପ୍ରତାପ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଢେ଼ଙ୍କାନାଳ ଏମପି ମହେଶ ସାହୁ ଉଦଘାଟନ କରିଥିବା ବେଳେ ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ଆୟୋଜକଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାକଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା,ଆଠମଲ୍ଲିକ ରମେଶ ସାଏ,ପାଲଲହଡ଼ା ବିଧାୟକ ମୁକେଶ ପାଲ,ଅନୁଗୁଳ ପୌରାଧକ୍ଷ ଅକ୍ଷୟ ସାମନ୍ତ,ଉପାଧ୍ୟକ୍ଷା ଅନୁପମା ସାହୁ ପ୍ରମୁଖ ସମ୍ମନିତ ଅତିଥି ରୂପେ ଯୋଗ ଦେଇଥିଲେ।ସଂଘର ସମ୍ପାଦକ ସାଗର ପ୍ରଧାନ,ଉପସଭାପତି ପ୍ରଭାତ ସିହ୍ନା,ଅରୁଣ ପୁଷ୍ପାଳକ,ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ,ସତ୍ୟେନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ରଞ୍ଜନ ଧୀର ସାମନ୍ତ,ପ୍ରାକ୍ତନ ରଞ୍ଜି ଟ୍ରଫି ଖେଳାଳି ବଳଭଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ରହି ସମାରୋହକୁ ଆଗେଇ ନେଇଥିଲେ।