ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଅଭିଯୋଗ: ବିଜେପିର କେନ୍ଦ୍ରୀୟ ନେତାଙ୍କ ବିରୋଧରେ ଅନୁଗୁଳ ଜିଲ୍ଲା କଂଗ୍ରେସର ଏତଲା

You are currently viewing ରାହୁଲ ଗାନ୍ଧୀଙ୍କୁ ଅସମ୍ମାନ ଅଭିଯୋଗ: ବିଜେପିର କେନ୍ଦ୍ରୀୟ ନେତାଙ୍କ ବିରୋଧରେ ଅନୁଗୁଳ ଜିଲ୍ଲା କଂଗ୍ରେସର ଏତଲା

ଅନୁଗୁଳ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ନେତାମାନେ ବାରମ୍ବାର ଅପଶବ୍ଦ ପ୍ରୟୋଗ ଓ ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନଠାରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସମସ୍ତେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, କିରନ ରିଜିଜୁ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଏକ ଆନୁଷ୍ଠାନିକ ଏତଲା ପ୍ରଦାନ କରିଛନ୍ତି।

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ଅଭିଯୋଗରେ ଦର୍ଶାଯାଇଛି ଯେ, ଉକ୍ତ ବିଜେପି ନେତାମାନେ ଲୋକସଭା ମଧ୍ୟରେ ଏବଂ ବାହାରେ ରାହୁଲ ଗାନ୍ଧୀଙ୍କୁ ଅତ୍ୟନ୍ତ ନୀଚ ଶବ୍ଦ ବ୍ୟବହାର କରି ଅପମାନିତ କରୁଛନ୍ତି ଏବଂ ମିଥ୍ୟା କହି ତାଙ୍କ ସମ୍ମାନ ହାନି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ଅନୁଗୁଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଏହି ଏତଲାକୁ ଗ୍ରହଣ କରିଥିବା ବେଳେ ଏହି ଅବସରରେ ଜିଲ୍ଲାର ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଜେପି ସରକାରଙ୍କ ଏପରି ଆଚରଣକୁ ତୀବ୍ର ନିନ୍ଦା କରିଥିଲେ।

Share

Leave a Reply