ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଶ ପୂଜାକୁ ନେଇ ବାଦବିବାଦ କମିବାରେ ନାଁ ଧରୁନାହିଁ। ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଥିବା ବେଳେ ପ୍ରଶାସନ ଏହାକୁ ସମାଧାନ କରିବା ବଦଳରେ ଅଦୃଶ୍ୟ ଚାପରେ ଚାପି ହୋଇଯାଉଛି।
ଦୀର୍ଘବର୍ଷ ଧରି ସହର ମଧ୍ୟରେ ଗଣେଶ ପୂଜା ମେଲଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ହଠାତ ପ୍ରଶାସନ ପକ୍ଷରୁ ହୋଇଥିବା ବୈଠକରେ ମେଲଣକୁ ନାଁ କରିଦିଆଗଲା। ଶାନ୍ତି ଶୃଙ୍ଖଳା ସହ ସମସ୍ତ ପୂଜା କମିଟି ମେଲଣ କରିବାକୁ ରାଜି ହୋଇଥିଲେ ମଧ୍ୟ ପ୍ରଶାସନ ମେଲଣ ନେଇ ଆଦୌ ରାଜି ହୋଇନଥିଲା। ଫଳରେ ଉକ୍ତ ବୈଠକ ପରେ ସହର ମଧ୍ୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଗଣେଶ ପୂଜା ନେଇ ପ୍ରତ୍ୟକ ଛୋଟ ବଡ଼ କମିଟି ମଧ୍ୟରେ ପୂର୍ବ ପ୍ରସ୍ତୁତି ରହିଥାଏ। ଏପରିକି ସେଣ୍ଟ୍ରାଲ ପୂଜା କମିଟି ଗଠନ, ମେଲଣରେ ସାଜସଜ୍ଜା ସବୁଥିରେ ପ୍ରତିଯୋଗିତା ରହିଥାଏ। ମୁଖ୍ୟତଃ ଯୁବପିଢ଼ିଙ୍କ ମଧ୍ୟରେ ଥିବା ଉତ୍ସାହ ପ୍ରଥମେ ଫିକା ପଡିଯାଇଥିଲା।
ତେବେ ଗତ କାଲି ଜିଲା ସର୍କିଟ ହାଉସ ଠାରେ ପ୍ରଶାସନ ପୂଜା କମିଟି ଓ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଯେଉଁ ଆଦେଶ ଦେଇଥିଲେ ଉପଜିଲ୍ଲାପାଳ କାଲି ଉକ୍ତ ଆଦେଶ ଉପରେ ପୁଣି ଥରେ ମୋହର ମାରିଛନ୍ତି। ମେଲଣକୁ ନେଇ ନାଁ ହୋଇଥିବା ବେଳେ ଗତ କାଲି ଆଲୋଚନା ପରେ ସହମତି ପ୍ରକାଶ କରିଛି ପ୍ରଶାସନ। ଏହି ଆଲୋଚନା ପରେ ପୁଣି ଥରେ ଯୁବପୀଢ଼ିଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଭରି ଯାଇଥିବା ବେଳେ ସହରର ପରମ୍ପରା ଅକ୍ଷୁର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।
ତେବେ କାହା ଚାପରେ ଉପଜିଲ୍ଲାପାଳ ପ୍ରଥମେ ନାଁ କରି ପରେ ହଁ କଲେ ବୋଲି ସହରେ ଚର୍ଚ୍ଚାର ବିଷୟ ପାଲଟିଛି।


