ଅନୁଗୁଳ: ସ୍ଥାନୀୟ ହୁଲୁରିସିଂହାସ୍ଥିତ ଦୁର୍ଗା ଶଙ୍କର ପଡ଼ିଆରେ ଆଗାମୀ ୧୪ତମ ବସନ୍ତ କାଳୀନ ମୃଣ୍ମୟୀ ଦୁର୍ଗା ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଜୟ ଦୁର୍ଗା ଫାଉଣ୍ଡେସନ ପକ୍ଷରୁ ମା’ଙ୍କ ପୂଜା ନିମନ୍ତେ ଆଜି ପବିତ୍ର ମାଟି ଅନୁକୂଳ କାର୍ଯ୍ୟକ୍ରମ ସମାପନ ହୋଇଛି। ହୁଲୁରିସିଂହାର ପ୍ରସିଦ୍ଧ ଗୋପୀନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଥିବା ବେଲ ଗଛ ମୂଳରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଟିକୁ ହୁଲୁରିସିଂହା ଦଶହରା ପଡ଼ିଆକୁ ଅଣାଯାଇଥିଲା।
ଆସନ୍ତା ମାର୍ଚ୍ଚ ମାସ ୨୪ ତାରିଖରୁ ଏହି ପୂଜା ଉତ୍ସବ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ତାରିଖରେ ବିଲ୍ଵବରଣ କାର୍ଯ୍ୟକ୍ରମ ରହିଥିବା ବେଳେ ୨୫ ତାରିଖରେ କଳସ ଯାତ୍ରା, ଦେବୀଙ୍କ ପ୍ରାଣ ପ୍ରତିଷ୍ଠା, ହୋମ ଓ ଚଣ୍ଡୀପାଠ ଆଦି ଅନୁଷ୍ଠିତ ହେବ। ସେହିପରି ୨୬ ତାରିଖରେ ସୂର୍ଯ୍ୟପୂଜା ଓ ସନ୍ଧିପୂଜା ସମ୍ପନ୍ନ ହେବାକୁ ଥିବା ବେଳେ ୨୭ ତାରିଖ ଦିନ ନବ କୁମାରୀ ପୂଜନ, ନବମୀ ବିହିତ ପୂଜା ଏବଂ ସୁନ୍ଦରାକାଣ୍ଡ ପାଠର ଆୟୋଜନ କରାଯାଇଛି। ଶେଷରେ ୨୮ ତାରିଖ ଦିନ ଦଶମୀ ପୂଜା ଯଥାରୀତି ଅନୁଷ୍ଠିତ ହେବ।
ଏହି ଶୁଭ ଅନୁକୂଳ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ମାନସ ରଞ୍ଜନ କର ପୂଜା ପରିଚାଳନା କରିଥିଲେ। ଏଥିସହ କର୍ତ୍ତା ଭାବରେ ରଶ୍ମିରଞ୍ଜନ ସାହୁ, ବଟକୃଷ୍ଣ ସାହୁ, ସତ୍ୟବ୍ରତ କର୍ଣ୍ଣ, ରାକେଶ କୁମାର ସାହୁ, ରାହୁଲ ମହାପାତ୍ର, ବିରଜା ଶଙ୍କର ମହାପାତ୍ର, ସଞ୍ଜୀବ ସାହୁ, ପ୍ରେମ କୁମାର ପ୍ରଧାନ ଓ ସୁରଜ୍ ସିଂ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।


