ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ମେଡିକାଲରେ ଚାଲି ଆସିଥିବା ମହାଦୁର୍ନୀତି ମାମଲାରେ ଏକ ନୂଆ ମୋଡ଼ ଆସିଛି।ସିଡିଏମଓ ଡ଼ା ମଦନମୋହନ ପ୍ରଧାନ ଏକ ବାର୍ତାରେ ଦରମା ଘୋଟାଲାର କିଙ୍ଗ ପିନ କୁହାଯାଉଥିବା ଆକାଉଣ୍ଟାଣ୍ଟ ସୁବ୍ରତ ବେହେରାଙ୍କୁ ନିଲମ୍ବିତ କରିବା ସହ ଆଠମଲ୍ଲିକରେ ଅବସ୍ଥାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁବ୍ରତଙ୍କ ନାମରେ ଅନୁଗୁଳ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। ଗତ ଏପ୍ରିଲ ଓ ମେ’ ମାସରେ ସୁବ୍ରତ ତାଙ୍କ ଦରମାର ଚାରି ଗୁଣ ପାଞ୍ଚ ଗୁଣ ଟଙ୍କା ଉଠା ଇନେବା ଘଟଣା ଆଇଟିର ସ୍କାନରକୁ ଆସିଥିଲା। ଆଇଟି ବିଭାଗ ପକ୍ଷରୁ ଏଥିନେଇ ଏଜି ସହ ଯୋଗା ଯୋଗ କରାଯାଇଥିଲା। ଏଜିର ଏକ ଟିମ୍ ଆସି ଖୋଳ ତାଡ଼ କରିବା ପରେ ଦରମା ଆତ୍ମସାତ ଘଟଣା ସାମନାକୁ ଆସିଥିଲା। ସୁବ୍ରତ ଅନଲାଇନ ଦରମା ସିଷ୍ଟମକୁ ହ୍ୟାକ କରି କୋଉ ମାସରେ ଦୁଇ ଥର ତ କୋଉ ଥର ତିନି ଥର ଦରମା ଉଠାଇ ନେଇଥିବା ଅଭିଯୋଗ ହେଇଛି।
ଏହାଛଡା ସେ ଏକାଧିକ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଦରମା ଆକାଉଣ୍ଟକୁ ଡବଲ ଦରମା ପଠାଇ ପରେ ଭୁଲରେ ପଠାଇ ଦେଇଥିଲି କହି କେତେବେଳେ ଫୋନ୍ ପେ’ ତ କେତେବେଳେ ଚେକରେ ଟଙ୍କା ଫେରାଇ ନେଇ ନିଜ ଆକାଉଣ୍ଟକୁ ନେଇ ଯାଇଥିବା ଅଭିଯୋଗ ହେଇଛି। ଅନୁଗୁଳ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସମେତ,ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ଆଖି ଡାକ୍ତରଙ୍କୁ ମଧ୍ୟ ସଂପୃକ୍ତ କିରାଣୀ ଟାର୍ଗେଟ କରିଥିବା ଜଣାପଡିଛି।ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଢେଇ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଖବର ଆସୁଛି। ସରକାରୀ ତଦନ୍ତ ସରିଲେ ପ୍ରକୃତ ପରିମାଣ ଜଣା ପଡ଼ିବ। ଏହି ମାମଲାରେ ଅନୁଗୁଳ ଟ୍ରେଜେରି ଷ୍ଟାଫଙ୍କ ହାତ ଥାଇପାରେ ବୋଲି ଅଭିଯୋଗ ମଧ୍ୟ ହେଉଛି।
ବିଭାଗୀୟ ତଦନ୍ତ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ପଦାକୁ ଆସିବ ।ସଂପୃକ୍ତ କିରାଣୀ ଏବେ ଛୁଟିରେ ପଳାଇଥିବା ବେଳେ ସିଡିଏମଓ ତାଙ୍କ ଛୁଟି ଗ୍ରହଣ କରିନଥିବା ଜଣା ପଡ଼ିଛି। ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସଂପୃକ୍ତ କିରାଣୀ ଗତ କିଛି ବର୍ଷ ଧରି ଏଭଳି କାଣ୍ଡ କରି ବିଳାସମୟ ଜୀବନ ଯାପନ କରୁଥିଲେ ମଧ୍ୟ କାହାରି ସନ୍ଦେହ ନହେବା ବିସ୍ମୟଜନକ ବୋଲି କୁହାଯାଉଛି ।