ଅନୁଗୁଳ: ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନୁଗୁଳ ସହର ସ୍ଥିତ ଶୈଳଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ଏନେଇ ପୂର୍ବ ରାତିରୁ ଦିଅଁମାନଙ୍କର ସେନାପଟା ଲାଗି ହେବା ସହ ରୁନ୍ଧା ହୋଇଥିଲେ। ବୁଧବାର ସକାଳୁ ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ, ଅବକାଶ ସରିବା ପରେ ଦିଅଁ ମାନେ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରିଥିଲେ। ସେବାୟତ ମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଘଣ୍ଟ, ଭେରୀ, ତୂରୀ, ଖୋଳକୀର୍ତ୍ତନ ସହ ସ୍ନାନ ବେଦି ବିଜେ କରାଇଥିଲେ। ପରେ ଅଧିବାସ ହୋଇଥିବା ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉଙ୍କ ସ୍ନାନ କାର୍ଯ୍ୟ ସମାପନ ହୋଇଥିଲା। ଧୋପଖାଳ ସାରିବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ପହଞ୍ଚି ରାଜନୀତି ବନ୍ଦାପନା ନୀତି ସମାପନ କରିଥିଲେ। ଏହା ପରେ ସ୍ନାନ ମଣ୍ଡପରେ ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ ଗଜାନନ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ବିଳମ୍ବିତ ରାତିରେ ପହଣ୍ଡି ହୋଇ ଶ୍ରୀଜିଉମାନେ ଅଣସର ଗୃହକୁ ବିଜେ କରିଥିବା ବେଳେ ଆସନ୍ତା କାଲି ଠାରୁ ଶୈଳଶ୍ରୀକ୍ଷେତ୍ରରେ ପଟିଦିଅଁଙ୍କ ଦର୍ଶନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ଶୈଳଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କର ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ, ସୁବାସିତ ଜଳରେ ସ୍ନାନ କଲେ ମହାବାହୁ
- Post published:June 11, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


