ସାତକୋଶିଆ ଗଣ୍ଡରେ ମଗର-ଘଡ଼ିଆଳ ମୁହାଁମୁହିଁ: ଛୁଆକୁ ଖାଇ ଅଣ୍ଡିରା ଘଡ଼ିଆଳ ଥଣ୍ଟ ଛିଣ୍ଡାଇଲା ମଗର

You are currently viewing ସାତକୋଶିଆ ଗଣ୍ଡରେ ମଗର-ଘଡ଼ିଆଳ ମୁହାଁମୁହିଁ: ଛୁଆକୁ ଖାଇ ଅଣ୍ଡିରା ଘଡ଼ିଆଳ ଥଣ୍ଟ ଛିଣ୍ଡାଇଲା ମଗର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ବଡ଼ ଅଘଟଣ। ଏଠାରେ ଦୁଇ ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ ଭୀଷଣ ଲଢ଼େଇ ହୋଇଥିବା ଜଣାପଡ଼ିଛି। ବିସ୍ତୀର୍ଣ୍ଣ ଗଣ୍ଡରେ ଆଧିପତ୍ୟ ବିସ୍ତାର କରି ରାଜତ୍ୱ କରିବା ପାଇଁ ଦୁଇଟି ବିରଳ ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ ଏହି ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଗତ ଶନିବାର ରାତିରେ ଏକ ପ୍ରାପ୍ତ ବୟସ୍କ ‘ମଗର’ଏବଂ ଅଣ୍ଡିରା ଘଡ଼ିଆଳ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିବା ବେଳେ ଅଣ୍ଡିରା ଘଡ଼ିଆଳର ଥଣ୍ଟ ଛିଣ୍ଡି ଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବନଖଣ୍ଡ ଅଧିକାରୀ ପହଞ୍ଚିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ‘ମଗର’ ଏବଂ ବିରଳ ‘ଘଡ଼ିଆଳ’ କୁମ୍ଭୀର ଦେଖାଯାଆନ୍ତି। ଗତ ୫ ବର୍ଷ ହେବ ଗଣ୍ଡରେ ପ୍ରାକୃତିକ ଭାବେ ଅଣ୍ଡା ଫୁଟାଇ ଛୁଆ କରୁଛନ୍ତି ଘଡ଼ିଆଳ ଯୋଡ଼ି। ଗଣ୍ଡର ଉପରମୁଣ୍ଡରେ ଥିବା ବଳଦମଡ଼ା ଠାରେ ଏହି ଘଡ଼ିଆଳ ଯୋଡ଼ି ବସା ବାନ୍ଧି କ୍ରମାଗତ ଭାବେ ଅଣ୍ଡାଦାନ କରି ଛୁଆ ଫୁଟାଇଥାନ୍ତି। ଚଳିତ ବର୍ଷ ମେ ମାସ ୧୯ ତାରିଖରେ ଗଣ୍ଡରେ ମା’ ଘଡ଼ିଆଳ ସହ ୨୯ଟି ଘଡ଼ିଆଳ ଶାବକ ଖେଳୁଥିବା ବନବିଭାଗ ଦେଖିବାକୁ ପାଇଥିଲେ। ୫ ବର୍ଷ ମଧ୍ୟରେ ଘଡ଼ିଆଳ କୁମ୍ଭୀର ନିଜର ବଂଶ ବିସ୍ତାର ଘଟଣା ମଗର ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ ଏକ ପ୍ରକାର ଅସହିଷ୍ଣୁତା ସୃଷ୍ଟି କରିଛି।

କାରଣ ୫୦ ବର୍ଷ ଧରି ସାତକୋଶିଆ ଗଣ୍ଡରେ ମୁଖ୍ୟତଃ ‘ମଗର’ ପ୍ରଜାତିର କୁମ୍ଭୀର ରାଜତ୍ୱ କରି ଆସୁଥିଲେ। ବର୍ତ୍ତମାନ ଗୋଟିଏ ସ୍ଥାନରେ ଦୁଇଟି ପ୍ରଜାତିର କୁମ୍ଭୀରଙ୍କ ବଂଶ ବୃଦ୍ଧି ନିଜ ଭିତରେ ଲଢେଇ ପରିସ୍ଥିତି ସୃଷ୍ଟି କରିଛି। ଗତ ଦୁଇଦିନ ତଳେ ଏକ ବୟସ୍କ ‘ମଗର’ ଆସି ବଳଦମଡା ପାଖରେ ନବ ଜନ୍ମିତ ଘଡ଼ିଆଳ ଶାବକ ମାନଙ୍କୁ ଆକ୍ରମଣ କରିଥିଲା। ଏପରିକି ଏହି ଶାବକ ମାନଙ୍କ ମଧ୍ୟରୁ ୨ରୁ ୩ଟି ଶାବକଙ୍କୁ ମାରି ଖାଇଥିବା ଜଣାପଡିଛି। ପୁନର୍ବାର ଗତ କାଲି ରାତିରେ ଏହି ମଗର ଘଡ଼ିଆଳ ବସା ପାଖକୁ ଯାଉଥିବା ବେଳେ ନିଜ ଛୁଆଙ୍କୁ ସୁରକ୍ଷା ଦେଉଥିବା ଅଣ୍ଡିରା ଘଡିଆଳ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ନଦୀ ଜଳ ମଧ୍ୟରେ ଦୁଇ କୁମ୍ଭୀରଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା। ଏପରିକି ନଦୀ ଜଳ ଭାଗଭାଗ ହୋଇଯାଇଥିଲା। ମଗର ପ୍ରଜାତିର କୁମ୍ଭୀର ମାନେ ମୁଖ୍ୟତଃ ଅଧିକ ଆକ୍ରମଣାତ୍ମକ ହୋଇଥିବା ବେଳେ ଘଡ଼ିଆଳ ମାନେ ଏକ ପ୍ରକାର ନିରୀହ ପ୍ରାଣୀ। ଲଢେଇରେ ‘ମଗର’ ଅଣ୍ଡିରା କୁମ୍ଭୀର ଘଡ଼ିଆଳ ଥଣ୍ଟ ଛିଣ୍ଡାଇ ଦେଇଥିବା ଜଣାପଡିଛି।

Share

Leave a Reply