ଅନୁଗୁଳ: ୧୬ବର୍ଷରୁ କମ ବିଜୟ ମରଚାଣ୍ଟ ଟ୍ରଫି ପାଇଁ ଓସିଏ ୧୬ ଜଣିଆ ଟିମ ଘୋଷଣା କରିଛି। ଏହି ଟିମରେ ଅନୁଗୁଳର ସୌମ୍ୟ ଆର ସିଂହ ସ୍ଥାନ ପାଇଛନ୍ତି। ଆସନ୍ତା ଡିସେମ୍ବର ୬ ତାରିଖରୁ ଗ୍ବାଲିଅର ଠାରେ ଆରମ୍ଭ ହେଉଥିବା ଆସାମ ଓ ଗୁଜୁରାଟ ବିପକ୍ଷ ଦୁଇଟି ମ୍ୟାଚ୍ ପାଇଁ ସୌମ୍ୟ ମନୋନୀତ ହୋଇଛନ୍ତି। ଏଥିନେଇ ଓସିଏର ନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ଅନୁଗୁଳ ସଂଘକୁ ଅବଗତ କରିଛନ୍ତି।
ସୌମ୍ୟ ବର୍ତ୍ତମାନ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ବାପା ଗିରିଶ ଚନ୍ଦ୍ର ସିଂହ ଏବଂ ମା ଭାରତୀ ସିଂହଙ୍କ ପ୍ରେରଣା ଏବଂ କୋଚ ଜୟକୃଷ୍ଣ ରାଉତଙ୍କ ଠିକଣା କୋଚିଙ୍ଗ ଯୋଗୁଁ ସୌମ୍ୟ ଜଣେ ଅଲରାଉଣ୍ଡର ଭାବେ ରାଜ୍ୟ ଓ ଦେଶ ତରଫରୁ ଖେଳିବା ପାଇଁ ସ୍ବପ୍ନ ଦେଖୁଛନ୍ତି।
ସୌମ୍ୟଙ୍କ ସଫଳତା ନେଇ ଅନୁଗୁଳ କ୍ରିକେଟ ଆସୋସେଶନର ଉପ ସଭାପତି ପ୍ରଭାତ କୁମାର ସିହ୍ନା ଏବଂ ଅନ୍ୟ ସଦସ୍ୟ ମାନେ ଆଶା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।