ଅନୁଗୁଳ: ସମଗ୍ର ରାଜ୍ୟରେ ସାଇବର ଅପରାଧ ରୋକିବା ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅନୁଗୁଳ ସାଇବର ପୋଲିସ ଝାଡ଼ଖଣ୍ଡରୁ ଆଉ ଜଣେ ସାଇବର ଲୁଟେରାକୁ ଗିରଫ କରିଛି।
ଏହି ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ଜାଗେଶ୍ୱରୀ ବେହେରା ସୂଚନା ଦେଇଛନ୍ତି। ଗତ ଅକ୍ଟୋବର ୭ ତାରିଖରେ ଅନୁଗୋଳ ମଦନମୋହନପଡ଼ା ଅଞ୍ଚଳର ଏମ୍ଡି ଅବଦୁଲ୍ଲାଙ୍କ ମୋବାଇଲ ହଜିଯାଇଥିଲା। ପରେ ସେ ନୂଆ ସିମ୍ ନେବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରୁ ଦୁଇ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଯାଇଛି।
ଗତ ୨୯/୧୦/୨୦୨୫ରେ ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ସାଇବର ଲୁଟେରାମାନେ ଝାଡ଼ଖଣ୍ଡର ଅଟନ୍ତି। ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ ଟିମ୍ ଝାଡ଼ଖଣ୍ଡର ବୋକାରୋ ଥାନା ଅନ୍ତର୍ଗତ ଅନସାରୀ ମହଲ୍ଲାରେ ଚଢ଼ାଉ କରି ସହନବାଜ ଆଲମ (୨୩)କୁ ପ୍ରଥମେ ଗିରଫ କରିବା ସହ ତା’ଠାରୁ ୬୧,୭୭୯ ଟଙ୍କା ସମେତ ଏଟିଏମ୍, ଚେକ୍ ବୁକ୍ ଓ ପାସ୍ ବୁକ୍ ଜବତ କରିଥିଲା। ସହନବାଜ ଏହି ଠକେଇରେ ସାମିଲ ଥିବା ସ୍ୱୀକାର କରିଥିଲା।
ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ, ଝାଡ଼ଖଣ୍ଡ ଗୋଦା ଜିଲ୍ଲାର ସନି ଓରଫ ସନି କୁମାର (୩୦) କୁ ପୋଲିସ ମଙ୍ଗଳବାର ଗିରଫ କରିବାରେ ସକ୍ଷମ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଇନ୍ସପେକ୍ଟର ଅୟସ କାନ୍ତ ଜେନା ଓ ସାଇବର ଥାନା ଆଇଆଇସି ଖଲେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
