ଅନୁଗୁଳ: ମନ ଇଚ୍ଛା ରାସନ କାର୍ଡରୁ ଚାଉଳ କାଟି ଦେଉଛନ୍ତି ଡିଲର। ବାରଣ କଲେ ଅନ୍ୟତ୍ର କାର୍ଡ ବଦଳାଇଦେବାକୁ ଦେଉଛନ୍ତି ଧମକ। ଡିଲରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତ ଗୁରିଆମୁଣ୍ଡା ଗ୍ରାମବାସୀ।
ସୂଚନା ମୁତାବକ, ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ଗୁରିଆମୁଣ୍ଡା ଗ୍ରାମରେ ପାଖାପାଖି ୨୯ ପରିବାର ରହୁଛନ୍ତି। ୨୯ ପରିବାରର ୪୦ ରୁ ଅଧିକ ରାସନ କାର୍ଡ ରହିଛି। ଫୁଲପଡା ଠାରେ ଥିବା ଡିଲର୍ ସୁଶୀଲ କୁମାର ବେହେରା ସରକାରଙ୍କ ପକ୍ଷରୁ ଆସୁଥିବା ରାସନ ସାମଗ୍ରୀ ବଣ୍ଟନ କରନ୍ତି। ଦୀର୍ଘ ଦିନ ହେଲାଣି ରାସନ ଦେବା ବେଳେ କାର୍ଡ ପିଛା ୨ କିଲୋ ଚାଉଳ କାଟି ଦେଇଛନ୍ତି। କାହିଁକି କାଟୁଛ ବୋଲି ପଚାରିଲେ ସୁଶୀଲ କହୁଛନ୍ତି ଉପରୁ ଅର୍ଡର ଆସିଛି, ଅଧିକ କହିଲେ ରାସନ କାର୍ଡ କାଟି ଦେବା ସହ ଅନ୍ୟତ୍ର ବଦଳି କରିଦେବି। ଫଳରେ ଚୁପଚାପ୍ ସହି ଆସୁଥିଲେ ଗ୍ରାମବାସୀ। ଆଜି ପୁଣି ମନ ଇଚ୍ଛା ଚାଉଳ ଦେବା ସହ ୨ କିଲୋ କାଟିବାରୁ ଲୋକେ ଅସନ୍ତୋଷ ହୋଇ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ଏ ଘଟଣା ବିଷୟରେ ବଅଁରପାଳ ସପ୍ଲାଏ ଅଫିସରଙ୍କୁ ଫୋନ ଯୋଗେ ପଚାରିବାରୁ ଘଟଣା ବିଷୟରେ ମୁଁ ବୁଝୁଛି କହି ଫୋନ କାଟି ଦେଇଥିଲେ। ଏବେ ଦେଖିବାକୁ ବାକି ରହିଲା ସପ୍ଲାଏ ଅଫିସର ଗରିବଙ୍କ ହକ୍ ଖାଉ ଥିବା ଡିଲର୍ ସୁଶୀଲ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି।











