ଅନୁଗୋଳ: କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟନ୍ତ୍ରଣ ଆଇନ (MMDR Bill 2026) ବିରୋଧରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଓ କୁଶପୁତ୍ତଳିକା ଦାହ କରାଯାଇଛି। ଆଜି ସନ୍ଧ୍ୟା ୬ ଟାରେ କଂଗ୍ରେସ ଭବନରୁ ଶହ ଶହ କର୍ମୀ ବାହାରି ବଜାର, ପୁରୁଣା ବସଷ୍ଟାଣ୍ଡ, କାଞ୍ଚନ ଟକିଜ ଛକ, ଥାନା ଛକ ଦେଇ ରାଜା ଛକରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟର ୨୦ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଏହି ଅବସରରେ ଜିଲ୍ଲା ସଭାପତି ସୁନିଲ ପ୍ରଧାନ କହିଲେ, ‘ଏହି କଳା ଆଇନ ଦ୍ୱାରା ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟକୁ ଅକଳନୀୟ ରାଜସ୍ୱ କ୍ଷତି ହେବ। ଓଡ଼ିଶା ୧ ଲକ୍ଷ ୧୦ ହଜାର କୋଟିର ବକେୟା ରାଜସ୍ୱ ଆଦାୟ କରିପାରିବ ନାହିଁ ଓ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି ଟଙ୍କା ହରାଇବ। ଏହା ସଙ୍ଘୀୟ ବ୍ୟବସ୍ଥା ଉପରେ କୁଠାରଘାତ। ଓଡ଼ିଶାର ଜମି ଅଥଚ ଓଡ଼ିଆଙ୍କର ଲାଭ ହେବ ନାହିଁ। ଡବଲ ଇଞ୍ଜିନ ସରକାର ଖାଲି କଥାରେ। ସୁପ୍ରିମକୋର୍ଟ ରାୟକୁ ବଦଳାଇ ଏ ବିଲ୍ କାହା ସ୍ୱାର୍ଥରେ ଅଣାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଏ କଳା ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବକ୍ତାମାନେ କହିଥିଲେ।
ଏଥିରେ ପିସିସି ଉପସଭାନେତ୍ରୀ ସସ୍ମିତା ବେହେରା, ଉମେଶ ଚନ୍ଦ୍ର ସାହୁ, ତପନ ପ୍ରଧାନ, ଦାଶରଥି ସାହୁ, ରାକେଶ ମିଶ୍ର, ବିନୋଦ ମାଝୀ, ଅଜୟ ବେହେରା, ରଶ୍ମି ରଞ୍ଜନ ସାହୁ, ଚିତ୍ତରଞ୍ଜନ ନାଏକ, ଜିତେନ କୁମାର ସାହୁ, ଅମୁଲ୍ୟ ବେହେରା, ଗୋପାଳ ଚନ୍ଦ୍ର ନାଥ, ସହଦେବ ବେହେରା, ସୌଭାଗ୍ୟ ବିଶ୍ୱାଳ, ସୁବାଷ ସାହୁ, ଅଳକାରାଣୀ ମହାପାତ୍ର, ମାନିନୀ ପ୍ରଧାନ, ପଦ୍ମିନୀ ନାଏକ, ଲିଲି ବେହେରା, ସୁଦୀପ ମିଶ୍ର, ଲକ୍ଷ୍ମୀଧର ପୃଷ୍ଟି, ସରୋଜ ଗୋଛାୟତ, ନିରଞ୍ଜନ ଦାସ, ଅଭୟ ବେହେରା, ସଞ୍ଜୟ ସାହୁ, ଅଶୋକ ନାଏକ, ଅଭିନାଶ ଦଳବେହେରା, ମୁରଲୀ ସାହୁଙ୍କ ସମେତ ଶହ ଶହ କର୍ମୀ ଉପସ୍ଥିତ ଥିଲେ।











