ଅନୁଗୁଳ: ସ୍ଥାନୀୟ ରେଙ୍ଗାଳୀ ଥାନା ଗଣ୍ଡମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ଛାତ୍ରକୁ ପିଟିଛନ୍ତି ଆଉ ଜଣେ ଛାତ୍ରର ବାପା। ଏହି ସମୟରେ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ପୂର୍ବରୁ ଦୁଇ ଛାତ୍ର ରାହୁଲ ଓ ଅନ୍ୟ ଜଣଙ୍କ ମଧ୍ୟରେ ବାଡ଼ିଆ ପିଟା ଲାଗିଥିଲା। ଏହି କଥାକୁ ନେଇ ତା ପର ଦିନ ରାହୁଲ ବେହେରାଙ୍କୁ ଅନ୍ୟ ଛାତ୍ରର ବାପା ସ୍କୁଲ ଭିତରେ ପଶି ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ରାହୁଲଙ୍କୁ ମାଡ଼ ମାରିବା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ। କିନ୍ତୁ କେହି ବି ପ୍ରତିବାଦ କରିନଥିଲେ। ଏନେଇ ରାହୁଲର ପରିବାର ପକ୍ଷରୁ ରେଙ୍ଗାଳୀ ଥାନାରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ଏଥିସହ ସ୍କୁଲ ଭିତରେ ଶିକ୍ଷକଙ୍କ ଉପସ୍ଥିତିରେ କେମିତି କେହି ବାହାର ଲୋକ ଛାତ୍ରଙ୍କୁ ମାଡ଼ ମାରିଲେ ସେ ନେଇ ପ୍ରଶ୍ନ କରିବା ସହ ନ୍ୟାୟ ମାଗିଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରାହୁଲଙ୍କ ବାପା ମା’।