ଅନୁଗୋଳ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ବାଳୁଆକଟା ଗ୍ରାମରେ ଗତ ୧୨ ତାରିଖରେ ଘଟିଥିବା ଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶରଧାପୁର ଗାଁର ମୁଖ୍ୟ ଅଭିଯୁକ୍ତ ଜିଲୁ ବେହେରା (୨୪) ଏବଂ ଖାଲଗାଁର କିଶନ ବାରିକ (୨୨) ଓ ରିତେଶ ସାହୁ (୨୧)।
ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ହେମନ୍ତ ବେହେରାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ଏସପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ଏସ୍ଡିପିଓ ଓ ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ସାଇବର ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସର ଏହି ତ୍ୱରିତ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।











