ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁରେ ବୁଧବାର ରାତିରେ ତୁମୁଳ କାଣ୍ଡ ଘଟିଛି। ଠାକୁରଙ୍କ ଭସାଣି ଶୋଭାଯାତ୍ରାରେ ପୋଲିସ ଡିଜେ ବଜାଇବା ବନ୍ଦ କରିବାରୁ ଯୁବକମାନେ ଫାଣ୍ଡି ଅଧିକାରୀ ଓ ଜଣେ କନେଷ୍ଟବଳଙ୍କୁ ନିର୍ଧୂମ ପିଟିଥିଲେ । ଦୁହେଁ ଆହତ ହୋଇଛନ୍ତି। ପୁଲିସ ଏସ୍ଡିପିଓ ଏବଂ ଥାନାଧିକାରୀ ଦୁଇପ୍ଲାଟୁନ୍ ଫୋର୍ସ ସହ ଗୁରୁବାର ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ଗରିଫ ଭୟରେ ନାଏକ ସାହି ପୁରୁଷଶୂନ୍ୟ ହୋଇପଡ଼ିଛି।
ପୋଲିସ ସୂତ୍ରରୁ ପ୍ରକାଶ, ସେରେଣାବେଡ଼ାରେ ପଞ୍ଚକଠାରୁ ପ୍ରଭୁ କାର୍ତ୍ତିକେଶ୍ଵରଙ୍କ ପୂଜା ଚାଲିଥିଲା। ବୁଧବାର ସଂଧ୍ୟାରୁ ଠାକୁରଙ୍କ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରାରେ ଡିଜେ ବାଜିବା ସହ ନାଚଗୀତରେ ଯୁବକମାନେ ମସଗୁଲ୍ ଥିଲେ। ରାତି ୧୦ଟା ସୁଦ୍ଧା ଭସାଣି ଶେଷ ହେବା ନିୟମ ଥିବାବେଳେ ରାତି ୧୧ଟା ପର୍ଯ୍ୟନ୍ତ ଏହା ସରିନଥିଲା ।ହିନ୍ଦୋଳ-ମହୀଧରପୁର ରାସ୍ତାକୁ ଅବରୋଧ କରି ରାତି ଅଧ ପର୍ଯ୍ୟନ୍ତ ଭସାଣି ଶୋଭାଯାତ୍ରା ଚାଲିଥିଲା । ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧରାତି ଯାଏଁ ଡିଜେ ବାଜୁଥିଲା। ମହାଧରପୁର ଫାଣ୍ଡି ଅଧିକାରୀ କାର୍ତ୍ତିକ ବାରିକ ଓ କନେଷ୍ଟବଳ ମୁରଲୀଧର ମାଝୀ ଘଟଣାସ୍ଥଳରେ ପହଞ୍ଚି ଥିଲେ।
ନାଏକସାହିର କେତେକ ଯୁବକ ମଦପିଇ ଡିଜେ ଗୀତ ସହ ରାସ୍ତା ଅବରୋଧ କରି ନାଚୁଥିବାବେଳେ ଫାଣ୍ଡି ଅଧିକାରୀ ଓ କନେଷ୍ଟବଳ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ଶୋଭାଯାତ୍ରାରେ ଥିବା ଯୁବକମାନେ କିଛି ନଶୁଣି ଡିଜେ ବଜାଇ ଚାଲିଲେ। ଏହାପରେ ଡିଜେ ବନ୍ଦ କରିବାରୁ ଯୁବକମାନେ ପୋଲିସ ସହ ଯୁକ୍ତିତର୍କ କରିଥିଲେ । କେତେକ ଯୁବକ ଅତର୍କିତ ଭାବେ ଫାଣ୍ଡି ଅଧିକାରୀ କାର୍ତ୍ତିକ ବାରିକ, କନେଷ୍ଟବଳ ଶ୍ରୀ ମାଝିଙ୍କୁ ଆକ୍ରମଣ କରିଥିଲେ । ଫଳରେ ଉଭୟ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ସହ ଆଖିରେ ଆଘାତ ଲାଗିଥିଲା। ଗୁରୁବାର ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ।
ଏସ୍ଡିପିଓ ରମାକାନ୍ତ ମହାଲିକ, ବଅଁରପାଳ ଥାନାଧିକାରୀ ନରେଶ ସାହୁ ଦୁଇ ପ୍ଲାଟୁନ ଫୋର୍ସ ସହ ମଧ୍ୟାହ୍ନରେ ସେରେଣାବେଡ଼ାରେ ପହଞ୍ଚିଥିଲେ। ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ପୂଜା ସମୟରେ ପୂଜା କମିଟି ସଦସ୍ୟଙ୍କ ଫଟୋ ଥିବା ବ୍ୟାନର୍ ଗାଁରେ ଲାଗିଥିଲା। ଏହି ଫଟୋରୁ ଚିହ୍ନି ଗାଁର କେତେକ ଯୁବକଙ୍କୁ ପୁଲିସ ଉଠାଇ ଆଣିଥିଲା। ତାଙ୍କ ମଧ୍ୟରୁ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।