ଅନୁଗୁଳ: ଚାଷୀ ମୁଣ୍ଡରେ ଚଡ଼କ। ସର୍ଟ ସର୍କିଟରେ ଜଳିଗଲା ଅମଳ ଧାନ। ଖଳାରେ ରଖାଯାଇଥିବା ବର୍ଷକର ଧାନ ଇଲେକ୍ଟ୍ରିକ ସର୍ଟ ସର୍କିଟରେ ଜଳିଯାଇଛି। ଫଳରେ ଭାଙ୍ଗି ପଡ଼ିଛି ଚାଷୀ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଡ୍ରପାଳ ପଞ୍ଚାୟତ ଖେତୀ ଗ୍ରାମର ଜମ୍ବେଶ୍ଵର ପ୍ରଧାନଙ୍କର ପାଖାପାଖି ୪୦ କୁଇଣ୍ଟାଲ ଧାନ ଜଳିଯାଇଛି। ସେଇ ଦୁଃଖରେ ଦୁଇ ଦିନ ହେବ ଅଖିଆ ଅପିଆ ପଡ଼ିରହିଛନ୍ତି ଜମ୍ବେଶ୍ୱର।
ଚଳିତ ବର୍ଷ ଭାଗୁଆ ଧରି ନିଜର ଧାନ ଫସଲକୁ ଅମଳ କରି ନିଜ ଖଳାରେ ରଖିଥିଲେ। ବିଳମ୍ୱିତ ରାତିରେ ସର୍ଟ ସର୍କିଟରେ ହଠାତ୍ ଖଳାରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ସବୁଆଡ଼େ ବ୍ୟାପି ଯାଇଥିଲା। ପାଖାପାଖି ୪୦ କୁଇଣ୍ଟାଲ ଧାନ ଆଖି ଆଗରେ ଜଳି ପୋଡ଼ି ପାଉଁଶ ହୋଇଗଲା। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ସବୁ ପାଉଁଶ ହୋଇଯାଇଥିଲା।
ଏଣୁ ଏବେ ଚିନ୍ତାରେ ଜମ୍ବେଶ୍ଵରଙ୍କ ସହ ପୂରା ପରିବାର। ଧାର କରଜ ସହ ଯାହା ସଞ୍ଚୟ ଥିଲା ସବୁ ସେଇ କ୍ଷେତରେ ଲଗାଇଦେଇଥିଲେ। ଆଶାଥିଲା ଅମଳ ସରିଲା ପରେ ଧାନ ବିକି ଧାର ସୁଝିବେ। କିନ୍ତୁ ସବୁ ଆଶା ଧୂଳିସାତ ହୋଇଗଲା। ଏବେ କଣ କରିବେ, ସେଇ ଚିନ୍ତାରେ ଦୁଇ ଦିନ ହେବ ପୂରା ପରିବାର ଉପାସ। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।