ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସମିତିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୩୫ ପଞ୍ଚାୟତରୁ ଭିନ୍ନକ୍ଷମମାନେ ଯୋଗ ଦେଇଥିଲେ। ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗ ଦେଇ ଭିନ୍ନକ୍ଷମଙ୍କୁ ହ୍ବିଲ ଚେୟାର ପ୍ରଦାନ କରିବା ସହ ସେମାନଙ୍କ ଉନ୍ନତ ଚିକିତ୍ସା ପାଇଁ ଡିଏସଏସଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ସମସ୍ତ ଭିନ୍ନକ୍ଷମ ଅନଲାଇନରେ ସାର୍ଟିଫିକେଟ ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଏଲିଜା ମିଶ୍ର, ଡିଏସଏସଓ ନାରାୟଣ ଚନ୍ଦ୍ର ମହାପାତ୍ର, ସିଏଚସି ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସହାୟକ ପ୍ରମୁଖ ସାମିଲ ହୋଇଥିଲେ।