ଅନୁଗୁଳ: ଯେଉଁ ମେସିନ କେବଳ ଆପୋଲୋ, ସମ୍ ଅଲ୍ଟିମେଟ୍ ଭଳି ବଡ଼ ବଡ଼ ହସ୍ପିଟାଲରେ ରହିଛି ସେହି ଅତ୍ୟାଧୁନିକ ମେସିନ ଏବେ ଅନୁଗୁଳ ହସ୍ପିଟାଲରେ ଆସି ପହଞ୍ଚିଛି। ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏହି ବାଇଓ କେମିଷ୍ଟ୍ରି ଆନାଲାଇଜରର ଦାମ ପ୍ରାୟ ୪୦ ରୁ ୫୦ ଲକ୍ଷ ଟଙ୍କା। ରକ୍ତ,ପ୍ଲାଜମା ଓ ସିରମ୍ ଆଦିରୁ ଖୁବ୍ କମ୍ ସମୟରେ ଟେଷ୍ଟ ରିପୋର୍ଟ ବାହାରି ପାରିବ।ଅନୁଗୋଳ ହସ୍ପିଟାଲକୁ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜର ଟ୍ରିଟିଂ ହସ୍ପିଟାଲ ରୂପେ ପରିଗଣିତ କରାଯାଉଥିବାରୁ ଏହାର ନିଦାନ ବିଭାଗକୁ ମଧ୍ୟ ସମୁନ୍ନତ କରାଯାଉଛି। ଏଠାରେ ନିଦାନ ବିଭାଗକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପାଥୋଲୋଜୀ, ଵାୟୋକେମୀଷ୍ଟ୍ରି ଓ ମାଇକ୍ରୋବାଇଓଲୋଜି।
ସବୁ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର,ପ୍ରଫେସର ଏବଂ ରେସିଡେଣ୍ଟ ଅଫିସର ତଥା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ ଏହି ଆଧୁନିକ ମେସିନରେ ହେମାଟୋଲୋଜି,କାଡିଓଲୋଜି ଠାରୁ ବ୍ଲଡ଼ କଲଚର୍,ଏଫ୍ଏନ୍ଏସି,ଥାଇରଏଡ ଆଦିର ପରୀକ୍ଷା ଖୁବ୍ କମ୍ ସମୟରେ କରାଯାଇପାରିବ। ନୂଆ ଆସିଥିବା ଆନାଲାଇଜର ମେସିନଟି ଏତେ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ଯେ ନିର୍ଦ୍ଦିଷ୍ଟ ସାମ୍ପୂଲ ଯଦି ପରୀକ୍ଷା କରାଯାଏ ତେବେ ଏକ ହଜାର ଲୋକଙ୍କର ରିପୋର୍ଟ ଘଣ୍ଟେ କି ଦୁଇ ଘଣ୍ଟାରେ ବାହାରିପାରିବ। ଏହା ଛଡା ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ନିଦାନ ବିଭାଗକୁ ଉନ୍ନତ କରିବା ପାଇଁ ନୂଆ ଟେଷ୍ଟିଙ୍ଗ ମେସିନ ଦିଆଯାଉଛି ଯାହା ଫଳରେ କି ଛୋଟ ଛୋଟ ଟେଷ୍ଟ ପାଇଁ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିବାକୁ ପଡ଼ିବ ନାହିଁ।
ରୋଗର ନିଦାନ ସଠିକ୍ ହେଲେ ଚିକିତ୍ସା ସୁବ୍ୟବସ୍ଥିତ ହୋଇ ପାରିବ। ନୂତନ ଆନାଲାଇଜର ମେସିନଟି କାର୍ଯ୍ୟକ୍ଷମ ହେବା ଦ୍ବାରା ଜିଲ୍ଲା ନିଦାନ ବିଭାଗ ଇତିହାସରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି ଏବଂ ଆଶା ସମନ୍ଵିତ ଜନସ୍ବାସ୍ଥ୍ୟ ଲାବୋରେଟରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ହେବାକୁ ଥିବା କ୍ରିଟିକାଲ୍ କେୟାର ପରିଚାଳନା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।