ଆଠମଲ୍ଲିକ : ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆଜି ଆଠମଲ୍ଲିକ ଏନଏସିରେ ପହଞ୍ଚିଛି। ବିଧାୟକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ତେବେ ଏଥିରେ ବିଜେଡିରୁ ନିର୍ବାଚିତ ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁଙ୍କ ସମେତ ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ୧ ନମ୍ବର, ୨ ନମ୍ୱର, ୩ ନମ୍ବର, ୪ ନମ୍ବର, ୫ ନମ୍ବର, ୬ ନମ୍ବର, ୮ ନମ୍ବର ଓ ୧୧ ନମ୍ବର ବିଜେଡି କାଉନସିଲର ଅନୁପସ୍ଥିତ ଥିଲେ। ସେହିପରି ଏନଏସି ନଗର ବିଜେଡି ସଭାପତି ପ୍ରଦୀପ କୁମାର ଦାଶ, ଏନଏସି ଯୁବ ଓ ଛାତ୍ର ସଭାପତି, ବ୍ଲକର ୨ ଜଣ ଜିଲ୍ଲା ପରିଷଦ ୫ ନମ୍ବର ରଶ୍ମିରେଖା ମାହାର ଓ ୭ ନମ୍ବର ବବିତା କର୍ଣ୍ଣ ମଧ୍ୟ ଅନୁପସ୍ଥିତ ଥିଲେ।
ବିଧାୟକ ଶ୍ରୀ ସାଏ ପ୍ରଥମେ ଆଠମଲ୍ଲିକ ଖେଳପଡିଆ ନିକଟରୁ କିଛି ହାତଗଣତି କର୍ମୀଙ୍କ ସହ ଗଣେଶ ବଜାର ଛକସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟକୁ ଯାଇ ମାଲ୍ୟାର୍ପଣ କରିବା ପରେ ନଗର ପରିକ୍ରମା କରିଥିଲେ।
ଅନ୍ୟପଟେ ପଦଯାତ୍ରାରେ ଯୋଗ ନ ଦେବାର କାରଣ ସମ୍ପର୍କରେ ନଗର ବିଜେଡି ସଭାପତି ପ୍ରଦୀପ କୁମାର ଦାଶ କହିଛନ୍ତି ଯେ ତାଙ୍କୁ ବିଧାୟକଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା। ସେହିପରି ଏନଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାଉନସିଲର ମାନେ ମଧ୍ୟ ଅନୁରୂପ ଉତ୍ତର ଦେଇଥିଲେ। ତେବେ ଜନସମ୍ପର୍କ ପଦଯାତ୍ରାରେ ଯୋଗ ନଦେବା ଘଟଣାକୁ ନେଇ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି l ଏ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।