ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶରେ ପୂର୍ବତନ ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଅନୁଗୁଳ ବନ୍ତଳା ଥାନା ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଗୁରୁବାର ରାତିରେ ବିଜେପି ଯୁବ ନେତା ସୁଦୀପ୍ତ ସ୍ୱାଇଁଙ୍କୁ ଗିରଫ କରିଛି।
ସୁଦୀପ୍ତଙ୍କ ନାମରେ ମହିଳାଙ୍କ ଅଭିଯୋଗ ଅନୁସାରେ ଦଫା ଗୁଡିକ କୋହଳ କରାଯାଇଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି। ଅଭିଯୁକ୍ତର ବଡ଼ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ସହ ଘନିଷ୍ଠ ଥିବାରୁ ବନ୍ତଳା ଥାନା ତାଙ୍କ ନାମରେ ଦଫା ଗୁଡିକ କୋହଳ କରିଛନ୍ତି ବୋଲି କହିଛନ୍ତି ବିଜେଡି ମହିଳା ସଭାପତି। ଅଭିଯୁକ୍ତ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ସହ ଥାନା ଘେରାଉ କରିବ ବୋଲି ଯୁବନେତା ଅରୁଣାଭ ସିଂ ଓ ଛାତ୍ର ବିଜେଡ଼ି ସଭାପତି ରାଜୀବ ଲୋଚନ ଦାସ ଚେତାବନୀ ଦେଇଛନ୍ତି।