ଅନୁଗୁଳରେ ରାସ୍ତାଘାଟର ହିସାବ ଦେଲା ବିଜେପି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ

0

ଅନୁଗୁଳରେ ରାସ୍ତାଘାଟର ହିସାବ ଦେଲା ବିଜେପି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେବା ବିଜେଡ଼ି ନେତା ତଥା ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ପ୍ରତିଦିନ ଖବରକାଗଜରେ ରାଜ୍ୟ ସରକାରଙ୍କ ବିଫଳତାର ଚିତ୍ର ପ୍ରକାଶିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ହୋଇଛି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଚେଷ୍ଟା କରନ୍ତି, ଆଉ ନିର୍ବାଚନ ସରିଲେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି ବୋଲି ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏହାର କାମ ସରିନାହିଁ।

ସେହିପରି ପ୍ରସ୍ତାବିତ ତାଳଚେର-ଖାଲପାଳ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଘୋଷଣା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ବଡକେରା-ଆଠଗଡ ରାଜ୍ୟ ରାଜପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବଉଳିଗଡ ବ୍ରିଜ୍, କୁମୁରିସିହା-ଫୁଲପଡା ରାସ୍ତା ଖରାପ ଅବସ୍ଥାରେ ଅଛି। ବଲ୍ଲହପୁର ଗ୍ରାମକୁ ରାସ୍ତା ନାହିଁ। କମ୍ପସଲାରୁ ଶେଣ୍ଡା ଶୋଚନୀୟ ଥିବା ବେଳେ ରାଜ୍ୟ ରାଜପଥ ଛେଣ୍ଡିପଦାରୁ ଅନୁଗୁଳ ରାସ୍ତା କାର୍ଯ୍ୟ ଧୀମା ଗତିରେ ଚାଲିଛି। ଡେରଙ୍ଗ -ଘଣ୍ଟିଆନାଳି, ବୋଲ୍, ଲଚ୍ଛାବନ୍ଧ, ଧୁକୁଟା, ଖଲାରିଛକ ରାସ୍ତା ବହୁତ ଖରାପ ଅବସ୍ଥାରେ ଅଛି। ହଣ୍ଡପା, ଗୁଣ୍ଠପଡା- ଲୁହାମୁଣ୍ଡା, ସନାହୁଳରୁ କଣ୍ଟାପଡା ରାସ୍ତା ବି ଶୋଚନୀୟ। ଅନୁଗୁଳ ମ୍ୟୁନିସପାଲଟିର କଲେଜ ଛକ ଠାରୁ ଆରମ୍ଭ କରି ବିଭିନ୍ନ ରାସ୍ତା ଶୋଚନୀୟ ହୋଇ ପଡିରହିଛି।

ଖଣି ସମୃଦ୍ଧ ଅଞ୍ଚଳ ଅନୁଗୁଳରୁ ପ୍ରଚୁର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅଞ୍ଚଳକୁ ସେହି ଅନୁସାରେ ବିକାଶ ପାଇଁ ଦୃଷ୍ଟି ଦେଉନାହାନ୍ତି। ବିଜେଡି ନେତା ଯେଉଁ କଟକ-ଅନୁଗୁଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!