ଅନୁଗୁଳ: ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ପାଇଛି। ଡିଜେଲ ଦର ବୃଦ୍ଧି ପରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଅଟୋମେଟିକ୍ ମେକାନିଜିମ୍ ମାଧ୍ୟମରେ ସମସ୍ତ ଶ୍ରେଣୀର ବସ୍ ଭଡା ବଢାଇଛି। ନୂଆ ଦର ତତ୍କାଳ ଲାଗୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ପାଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସରେ କିମି ପିଛା ୪ ପଇସା ଏବଂ ସୁପର ପ୍ରିମିୟମ୍/ସୁପର ଡିଲକ୍ସ ବସ ଭଡା କିମି ପିଛା ୬ ପଇସା ବଢ଼ିଛି। ଫଳରେ ଅର୍ଡିନାରୀ ବସ୍ କିଲୋମିଟର ପିଛା ୯୦ ପଇସାରୁ ୯୨ ପଇସା ଓ ଏକ୍ସପ୍ରେସ ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି। ସେହିପରି
ଡିଲକ୍ସ ୧୩୧ ପଇସାରୁ ୧୩୫ ପଇସା, ଏ.ସି. ଡିଲକ୍ସ ୧୫୯ ପଇସାରୁ ୧୬୩ ପଇସା, ସୁପର ଡିଲକ୍ସ ୨୪୭ ପଇସାରୁ ୨୫୩ ପଇସା ଯାଏଁ ବୃଦ୍ଧି ପାଇଛି।
ଏସ୍ ଟି ଏ(STA) ପକ୍ଷରୁ କୁହାଯାଇଛି ଯେ, ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫.୮୭ ଟଙ୍କା ଥିବାବେଳେ ମେ ୩୧ ତାରିଖ ସୁଦ୍ଧା ଏହା ୧୦୦.୬୮ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ୧୫ ଦିନରେ ଡିଜେଲ ଲିଟର ପିଛା ୪.୮୧ ଟଙ୍କା ମହଙ୍ଗା ହୋଇଛି। ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ବସ୍ ମାଲିକମାନଙ୍କ ପରିଚାଳନା ଖର୍ଚ୍ଚ ବଢ଼ିଥିବାରୁ ଅଟୋମେଟିକ୍ ଫେୟାର ରିଭିଜନ୍ ମେକାନିଜିମ୍ ଅନୁସାରେ ଭଡା ବୃଦ୍ଧି କରାଯାଇଛି। ଏହି ଭଡା ବୃଦ୍ଧି ପରେ ରାଜ୍ୟର ଲକ୍ଷାଧିକ ବସ୍ ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।











