ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ହୃଦୟ ଦିବସ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦ୍ଗାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ରକ୍ତଚାପ, ଡାଇବେଟିସ, ଧୂମପାନ, ମଦ୍ୟପାନ, ମାତ୍ରାଧିକ କୋଲେଷ୍ଟୋରୋଲ ଓ ଅନିୟମିତ ଜୀବନଶୈଳୀ ହୃଦ୍ ଜନିତ ରୋଗର ମୂଳ କାରଣ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଡା. ବିନୋଦ ସାହୁ ଯୋଗ ଦେଇ ହୃତପିଣ୍ଡକୁ ସୁସ୍ଥ ରଖୁବା ପାଇଁ ନିୟମିତ ରକ୍ତଚାପ ଓ ମଧୁମେହ ପରୀକ୍ଷା, ଧୂମପାନ ଓ ମଦ୍ୟପାନରୁ ନିବୃତ ରହିବା, ନିୟମିତ ଯୋଗ ବ୍ୟାୟାମ ଓ ଶାରୀରିକ ପରିଶ୍ରମ କରିବା ଉପରେ ଗୁରୁତ୍ବ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ, ପାରା ମେଡିକାଲ ଷ୍ଟାଫ୍, ନର୍ସିଂ ଛାତ୍ରୀ ଯୋଗ ଦେଇଥିଲେ। ଅତିରିକ୍ତ ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।