ବଦଳିଲା ହାଇସ୍କୁଲ ୟୁନିଫର୍ମ: ଅଗଷ୍ଟ ୧୫ରୁ ‘ହଣ୍ଟର ଗ୍ରୀନ୍‌’ ରଙ୍ଗର ପୋଷାକ ଲାଗୁ

You are currently viewing ବଦଳିଲା ହାଇସ୍କୁଲ ୟୁନିଫର୍ମ: ଅଗଷ୍ଟ ୧୫ରୁ ‘ହଣ୍ଟର ଗ୍ରୀନ୍‌’ ରଙ୍ଗର ପୋଷାକ ଲାଗୁ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ପରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍‌ ୟୁନିଫର୍ମ। ସରକାରୀ ହାଇସ୍କୁଲ୍‌ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ୟୁନିଫର୍ମ। ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବି ଯୋଗାଇ ଦିଆଯିବ। ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲ୍‌ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ।

ଏଣିକି ନୂଆ ଲୁକ୍‌ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ। ପିଲାଙ୍କ ପାଇଁ ହଣ୍ଟର ଗ୍ରୀନ୍‌ ରଙ୍ଗର ପୋଷାକ ନିର୍ଦ୍ଧାରିତ ହେଇଛି। ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍‌ ପୋଷାକ ରହିଛି। ଡ୍ରେସରେ ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ। ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ। ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ଚଳିତ ଶିକ୍ଷାବର୍ଷରୁ ମାଗଣା ୟୁନିଫର୍ମ ମିଳିବ। ଏହି ଯୋଜନାକୁ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କାରେ ଦୁଇ ହଳ ପୋଷାକ, ୨୦୦ ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ଏହାସହ ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାର ଗୋଟିଏ ଟ୍ରାକ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ।

ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍‌ସ୍ତରରେ ଏକ କମିଟି ଗଠିତ ହେବ। ଏହି କମିଟି ନେତୃତ୍ୱରେ ଏମ୍‌ଏସ୍‌ଏମ୍‌ଇ ବା ସ୍ୱୀକୃତିପ୍ରାପ୍ତ ଏସ୍‌ଏଚ୍‌ଜିଙ୍କୁ ପୋଷାକ କ୍ରୟ ବା ବଣ୍ଟନ ଦାୟିତ୍ୱ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ। ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ୨ ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Share

Leave a Reply