ଅନୁଗୁଳ: ପ୍ରଶାସନର ତତ୍ପରତା ଯୋଗୁଁ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ କରଡ଼ାପାଳ ପଞ୍ଚାୟତର ଧାଡ଼ିପଥର ଗାଁରେ ଏକ ବାଲ୍ୟବିବାହ ବନ୍ଦ ହୋଇଛି। ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଠିକ୍ ସମୟରେ ପୋଲିସ ଓ ଅଙ୍ଗନବାଡ଼ି କର୍ମଚାରୀ ପହଞ୍ଚି ନାବାଳିକା କନ୍ୟାର ବିବାହକୁ ସ୍ଥଗିତ ରଖିଛନ୍ତି।
ସୂଚନା ମୁତାବକ, ଧାଡ଼ିପଥର ଗାଁରେ ଜଣେ ୧୮ ବର୍ଷରୁ କମ୍ ବୟସର ଝିଅର ବିବାହ ପାଇଁ ଭୋଜିଭାତ ସହ ସବୁ ବନ୍ଦୋବସ୍ତ ସରିଥିଲା। ତେବେ ଏହା ଏକ ବାଲ୍ୟବିବାହ ବୋଲି ଖବର ପାଇ ଜିଲ୍ଲା କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ CDPO ବିଜୟଲକ୍ଷ୍ମୀ ମହାନ୍ତଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ଏହି ଟିମରେ ସୁପରଭାଇଜର ସୌଦାମିନୀ ଦେହୁରୀ, ସୁଫଳା ନାଏକ, ଅଙ୍ଗନବାଡ଼ି କର୍ମୀ ସସ୍ମିତା ପରିଡ଼ା ଓ ପୋଲିସ ପ୍ରଶାସନ ସାମିଲ ଥିଲେ।
ପ୍ରାଶାସନିକ ଅଧିକାରୀମାନେ ବାଲ୍ୟବିବାହର କୁପରିଣାମ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ବୁଝାଇବା ପରେ କନ୍ୟା ପିତା ନିଜର ଭୁଲ୍ ସ୍ୱୀକାର କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକଙ୍କ ଉପସ୍ଥିତିରେ ଝିଅକୁ ୧୮ ବର୍ଷ ପୂରିବା ପରେ ହିଁ ବିବାହ କରାଯିବ ବୋଲି କନ୍ୟାପକ୍ଷ ଏକ ଲିଖିତ ଚୁକ୍ତିନାମା ପ୍ରଦାନ କରିଛନ୍ତି।


