ବିକାଶଠୁ ଦୂରରେ କୁଲଡିହ: ସମସ୍ୟା ଘେରରେ ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ

You are currently viewing ବିକାଶଠୁ ଦୂରରେ କୁଲଡିହ: ସମସ୍ୟା ଘେରରେ ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ

ଅନୁଗୁଳ: ଦେଶ ନିକଟରେ ଗର୍ବର ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ନଗିରା ପଞ୍ଚାୟତର କୁଲଡିହ ଗାଁ ପାଇଁ ସ୍ୱାଧୀନତା ଓ ଗଣତନ୍ତ୍ରର ମୂଲ୍ୟ କେବଳ ଭୋଟ୍‌ ଦେବା ମଧ୍ୟରେ ସୀମିତ ରହିଛି। ସମସ୍ୟାର ପାହାଡ଼ ତଳେ ଚାପି ହୋଇ ରହିଥିବା ଏହି ଦୁର୍ଗମ ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ଆଜି ବି ‘ଆକାଶ କୁସୁମ’ ପାଲଟିଛି।

୧୯୭୮ ମସିହାରେ କୁଲଡିହ ଗାଁକୁ ପିବିଡିଏ (PBDA) ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ, ଗତ ୪୮ ବର୍ଷ ମଧ୍ୟରେ ଏଠାରେ ବିକାଶର ପାଦ ଚିହ୍ନ ପଡ଼ିନାହିଁ। ଗାଁର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା, ଗାଁରେ ସ୍କୁଲ୍‌ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। କୁନି କୁନି ପିଲାମାନେ ପାଠ ପଢ଼ିବା ପାଇଁ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର କାଦଡିହା ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରନ୍ତି। ବର୍ଷା ଦିନେ ଜଙ୍ଗଲ ରାସ୍ତା ବିପଜ୍ଜନକ ହୋଇପଡ଼ୁଥିବାରୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ।

ସେହିପରି ନଗିରା ପଞ୍ଚାୟତର ୬ଟି ଗାଁକୁ ଆଜି ବି ବିଦ୍ୟୁତ୍‌ ସଂଯୋଗ ମିଳିନାହିଁ, ଯେଉଁଥିରେ କୁଲଡିହ ଅନ୍ୟତମ। ଯେଉଁଠି ବିଦ୍ୟୁତ୍‌ ପହଞ୍ଚିଛି, ସେଠାରେ ମଧ୍ୟ ଲାଇଟ୍‌ ଜଳୁନାହିଁ। ପ୍ରାୟ ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଲୋକେ ନାଳ କୂଳରେ ଚୁଆ (ଗାତ) ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ପଞ୍ଚାୟତ ପାଣ୍ଠିରୁ ପଡ଼ିଥିବା ମାଟି ରାସ୍ତା ବର୍ଷା ଦିନେ ଧୋଇ ହୋଇଯାଏ। ଲୋକେ ଜୀବନକୁ ବାଜି ଲଗାଇ ବାଂଶପାଳ ବ୍ଲକ୍‌ ଦେଇ ଜଙ୍ଗଲ ମଧ୍ୟରେ ଯାତାୟାତ କରୁଛନ୍ତି।

ସରକାରୀ ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଥିବା ବେଳେ, ବାସ୍ତବରେ କୁଲଡିହବାସୀ ମୌଳିକ ଅଧିକାରରୁ ବଞ୍ଚିତ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ଲୋକମାନଙ୍କ ଦୁଃଖ କେବେ ଦୂର ହେବ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ସ୍ଥାନୀୟ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share

Leave a Reply