ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଦହସିଲ ଛକରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ପଣ୍ଡ ହୋଇଛି।ସୂଚନା ଯେ, ଛେଣ୍ଡିପଦା ତହସିଲ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏଲ୍ଆଇସି ଏଜେଣ୍ଟ ମୋହନ ମହାପାତ୍ରଙ୍କ ମଟରସାଇକେଲ ଡିକି ଭାଙ୍ଗି ଦୁର୍ବୃତ ମାନେ ୧ଲକ୍ଷ ୬୦ହଜାର ଟଙ୍କା ଚୋରି କରି ପଳାଉଥିଲେ। ସ୍ଥାନୀୟ ଲୋକମାନେ ଦୁର୍ବୃତଙ୍କ ପିଛା କରିବାରୁ ଉକ୍ତ ଟଙ୍କାକୁ ଫୋପାଡି ଦେଇ ସେମାନେ ଚାଲିଯାଇଥିଲେ। ଗୁରୁବାର ୧୧ଟା ବେଳେ ଛେଣ୍ଡିପଦା ଷ୍ଟେଟ ବ୍ୟାଙ୍କରୁ ମୋହନ ୧ଲକ୍ଷ ୬୦ ହଜାର ଟଙ୍କା ଉଠେଇ ତାଙ୍କ ମଟରସାଇକେଲ ଡିକିରେ ଏକ ବ୍ୟାଗରେ ରଖିଥିଲେ। ତହସିଲ ନିକଟସ୍ଥ ନବିସନ୍ଧା କାର୍ଯ୍ୟାଳୟ ସମ୍ମୁଖରେ ମଟର ସାଇକେଲ ରଖି ଏକ ଫଟୋକପି ଦୋକାନକୁ ଯାଇଥିଲେ। ସେହି ସମୟରେ ଦୁଇଜଣ ଦୁର୍ବୃତ ଏକ ପଲସରରେ ଆସି ମଟରସାଇକେଲ ଡିକି ଭାଙ୍ଗି ଟଙ୍କାଧରି ଦୃତ ଗତିରେ ଅନୁଗୁଳ ଆଡକୁ ପଳାଇ ଯାଉଥିଲେ। ଏହି ସମୟରେ ଛେଣ୍ଡିପଦା ଓକିଲ ସଂଘର ସଭାପତି ନଗେନ କୁମାର ନନ୍ଦ ଓ ସ୍ଥାନୀୟ ଯୁବକ ମାନେ ଟଙ୍କା ଚେରି ହୋଇଥିବା ଜାଣିପାରି ସେମାନଙ୍କ ପିଛା କରିଥିଲେ। ଓକିଲ ସଂଘର ସଭାପତି ପିଛାକରି ଦୁର୍ବୃତଙ୍କ ମଟରସାଇକେଲକୁ ଧକ୍କା ଦେଇଥିଲେ। ଫଳରେ ଟଙ୍କାକୁ ରାସ୍ତାରେ ପକାଇ ଦେଇ ଜଣେ ଯୁବକ ଜଙ୍ଗଲ ଭିତରକୁ ପଳାଇଯାଇଥିବା ବେଳେ ଅନ୍ୟ ଜଣେ ମୋଟର ସାଇକେଲରେ କୋଶଳା ଦିଗକୁ ପଳାଇ ଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ
- Post published:January 27, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
