ତାଳଚେର: ଠିକ ଭଡ଼ା ଓ ବେଆଇନ ଚାନ୍ଦା ବନ୍ଦ ଦାବିରେ ଆଜି ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
ସଂଘର ଅଭିଯୋଗ ଅନୁସାରେ, ତାଳଚେରରୁ କୋଇଲା ପରିବହନ କରୁଥିବା ପରିବହନକାରୀମାନଙ୍କ ସହ ଅନେକ ଆଲୋଚନା-ପର୍ଯ୍ୟାଲୋଚନା ପରେ ମଧ୍ୟ ସେମାନେ ଟ୍ରକ ମାଲିକମାନଙ୍କୁ ଉଚିତ୍ ଭଡ଼ା ଦେଉନାହାନ୍ତି କି ଭଡ଼ାକୁ ଚାଲାଣରେ ଲେଖୁନାହାନ୍ତି। ଏଥିସହ ସେମାନେ ଟିଡିଏସ, ଚାଲାଣ ଓ କ୍ୟାସ ଡିସକାଉଣ୍ଟ କହି ଜବରଦସ୍ତ ଟ୍ରକ ମାଲିକଙ୍କଠାରୁ ବିଭିନ୍ନ ଚାନ୍ଦା ନେଉଛନ୍ତି। ଏକକ ଭଡ଼ା ଚାଲାଣରେ ଭଡ଼ା ଦର ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ସେମାନେ ପାଳନ କରୁନାହାନ୍ତି।
ଅନ୍ୟପଟେ ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଯଦି ଚଳିତ ମାସ ୨୭ ତାରିଖ ସୁଦ୍ଧା ଟ୍ରକ ମାଲିକଙ୍କ ଦାବି ପୂରଣ ନହୁଏ, ତେବେ ସେମାନେ କୋଇଲା ପରିବହନ କରିବେନି ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ସଭାପତି ଦିଲ୍ଲୀପ କୁମାର ପାଣି, ସାଧାରଣ ସମ୍ପାଦକ ଫିରୋଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାରଣାଙ୍କ ସମେତ ଅନ୍ୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।