ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ପଞ୍ଚାୟତରେ ୪ର୍ଥ ଶ୍ରେଣୀ କର୍ମଚାରୀଭାବେ କାମ କରୁଥିବା ସୁଇପର, ପିଅନ ଓ ରାତ୍ର ଜଗୁଆଳ ସଂଘ ପକ୍ଷରୁ ରବିବାର ଛେଣ୍ଡିପଦା ବ୍ଲକ ରାମଚଣ୍ଡୀ ପୀଠରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।
୧୯୫୨ ମସିହାରେ ସରକାର ପଞ୍ଚାୟତିରାଜ ବ୍ୟବସ୍ଥା କରିବା ପରେ ପ୍ରତ୍ୟେକ ପଞ୍ଚାୟତରେ ଜଣେ ପିଅନ, ସୁଇପର ଏବଂ ରାତ୍ରଜଗୁଆଳ ବ୍ୟବସ୍ଥା କରିଛନ୍ତି। ବ୍ୟବସ୍ଥାକୁ ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ମିଳିପାରୁ ନାହିଁ। ଏନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ ସୁଫଳ ପାଇ ପାରୁ ନାହାନ୍ତି। ଏଣୁ ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଏବଂ ସେମାନଙ୍କ ଚାକିରିକୁ ନିୟମିତ କରିବା ସହ ସରକାରଙ୍କ ପକ୍ଷରୁ ଦରମା ପ୍ରଦାନ କରିବା, ସମାନ ଚାକିରିକୁ ସମାନ ଦରମା, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ଦେବା ଆଦି ୭ ଦଫା ଦାବି ନେଇ ବୈଠକ କରିଥିଲେ।
ସେମାନଙ୍କ ଦାବି ନ ମାନିଲେ ଆଗାମୀ ଦିନରେ ଜିଲ୍ଲାର ୮ଟି ବ୍ଲକ ଓ ପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀ ନିଜ ପରିବାର ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସଭାରେ ଜିଲ୍ଲା ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ଅଭିମନ୍ୟୁ ଦେହୁରୀ, ସମ୍ପାଦକ ନରୋତ୍ତମ ସାହୁ, ସହ ସମ୍ପାଦକ ମାଧବ ଚନ୍ଦ୍ର ସାହୁ, କୋଷାଧ୍ଯକ୍ଷ ବିଦେଶୀ ମାହାଳିକ, ଶଙ୍କର୍ଷଣ ସୁବୁଦ୍ଧି, ବିକ୍ରମ ବିଶ୍ବାଳ, ଭଜମନ ସାହୁ, କୃତାର୍ଥ ସାହୁ, ବୀରେନ୍ଦ୍ର ରାଉଳଙ୍କ ସମେତ ଶତାଧିକ ୪ର୍ଥ ଶ୍ରେଣୀ କର୍ମଚାରୀ ଯୋଗ ଦେଇଥିଲେ।