ଅନୁଗୁଳ/କଟକ: କୋଇଲା ପରିବହନ ପ୍ରସଙ୍ଗରେ ମିଳିତ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନାଲକୋକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ପ୍ରକାଶ ଯେ ନାଲକୋକୁ କୋଇଲା ଯୋଗାଣ କମ୍ କରାଯିବା ଯୋଗୁଁ ପ୍ଲାଣ୍ଟ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। ନାଲକୋକୁ ପୂର୍ବ ଭଳି କୋଇଲା ଯୋଗାଣ ନହେଲେ ପ୍ଲାଣ୍ଟ ଚାଲି ପାରିବ ନାହିଁ ଓ ଉତ୍ପାଦନ ଠପ୍ ହୋଇଯିବ। ଥରେ ଯଦି ପ୍ଲାଣ୍ଟ ବନ୍ଦ ହୁଏ ତେବେ ପୁଣି ଥରେ ଚାଲୁ ହେବାକୁ ୧୨ ମାସ ବା ବର୍ଷେ ଲାଗିପାରେ।
ଏହି ମାମଲାକୁ ନେଇ ନାଲକୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାର ଶୁଣାଣି କରିବାକୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଖଣ୍ଡପୀଠ ଗଠିତ ହୋଇଥିଲା। ଖଣ୍ଡପୀଠ ଶୁଣାଣି କରି ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଖଣି ମନ୍ତ୍ରଣାଳୟ, ଶକ୍ତି,କୋଇଲା ବିଭାଗ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୬ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ବୈଠକ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ କହିଥିଲେ।
ଏଣୁ ଏହି ନିର୍ଦ୍ଦେଶନାମା ଅନୁଯାୟୀ ବୁଧବାର ବୈଠକ ଆୟୋଜନ ହୋଇଥିଲା ଓ ଏହାର ବିବରଣୀ ହାଇକୋର୍ଟରେ ଦାଖଲ ହୋଇଥିଲା। ତେବେ ଅଦାଲତ ଏହି ପ୍ରସଙ୍ଗରେ ଶୁଣାଣି କରି ମିଳିତ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ମେ ୨ ରେ ହେବ ବୋଲି ଧାର୍ଯ୍ୟ କରିଥିବା ଜଣାଯାଇଛି।