ତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

You are currently viewing ତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା କୋଇଲା ଚୋରୀ ରୋକିବା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଂଟପଡା ଟ୍ରକ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏମ୍‌.ସି.ଏଲ୍‌. ଓ ଗ୍ଲୋବାଲ୍ କୋଲ୍ ୱାସେରୀ ମଧ୍ୟରେ ଅନୁଚିତ ସମ୍ପର୍କ ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।

ପ୍ରତିଦିନ ହଜାର ହଜାର ଟନ୍ କୋଇଲା ୱାସେରୀକୁ ପରିବହନ ହେଉଛି, କିନ୍ତୁ ଏହାର ସଠିକ୍ ତଦାରଖ ନାହିଁ। ନିୟମ ଅନୁଯାୟୀ, ୧୦ ଚକିଆ ଟ୍ରକ୍‌ରେ ୧୮ ଟନ୍ ଓ ୧୨ ଚକିଆ ଟ୍ରକ୍‌ରେ ୨୨ ଟନ୍ କୋଇଲା ପରିବହନ ହେବା କଥା, କିନ୍ତୁ ଏହା ଉଲ୍ଲଂଘନ କରାଯାଉଛି। ସାଧାରଣ ଟ୍ରକ୍ ମାଲିକଙ୍କ ଗାଡ଼ି ୱେ ବ୍ରିଜ୍‌ରେ ଯାଞ୍ଚ ହେଉଥିବା ବେଳେ ୱାସେରୀ ଗାଡ଼ିଗୁଡ଼ିକ ପାଇଁ ଏହା ବ୍ୟତିକ୍ରମ। ରୋଡ୍ ସେଲ୍‌ରେ ୨୪ ଘଣ୍ଟିଆ ଲୋଡିଂ ନିୟମ ଥାଇ ମଧ୍ୟ ସାଧାରଣ ଟ୍ରକ୍‌ଗୁଡ଼ିକ ପାଇଁ ଏହା ୧୨ ଘଣ୍ଟା (ସକାଳ ୬ରୁ ସନ୍ଧ୍ୟା ୬) ସୀମିତ, କିନ୍ତୁ ୱାସେରୀ ପାଇଁ ୨୪ ଘଣ୍ଟା ଚାଲୁଛି।

ସଂଘ ପକ୍ଷରୁ ଏସ୍‌.ଆଇ.ଟି. କିମ୍ବା ସି.ବି.ଆଇ. ଦ୍ୱାରା ବିଧିବଦ୍ଧ ତଦନ୍ତ ଦାବି କରାଯାଇଛି, ଯାହା ସତ୍ୟ ପଦାକୁ ଆଣି ରାଜସ୍ୱ ହାନୀ ରୋକିପାରିବ। ଦାବିପତ୍ରର ନକଲ ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପ-ଖଣି ନିର୍ଦ୍ଦେଶକ ଓ ଥାନାଗୁଡ଼ିକୁ ପ୍ରଦାନ କରାଯାଇଛି। ଏହି ଅବସରରେ ରାଜ କିଶୋର ସାହୁ, ଅଶୋକ ଦାସ, ବାପୁନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply