ମାଟି ଅତଡ଼ା ଖସି ଶ୍ରମିକ ମୃତ, ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କମ୍ପାନୀ ରାଜି ହେବା ପରେ ହଟିଲା ଆନ୍ଦୋଳନ

You are currently viewing ମାଟି ଅତଡ଼ା ଖସି ଶ୍ରମିକ ମୃତ, ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କମ୍ପାନୀ ରାଜି ହେବା ପରେ ହଟିଲା ଆନ୍ଦୋଳନ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଧଉରାଖମଣ ଗାଁ ନିକଟରେ ପାଣି ପାଇପ୍ କାର୍ଯ୍ୟ ଚାଲିଥିବା ବେଳେ ଶନିବାର ରାତିରେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏ ନେଇ ଉତ୍ତେଜନା ଦେଖା ଦେଇଥିଲା। ଘଟଣାର ୧୦ ଘଣ୍ଟା ପରେ ପରିବାର ଲୋକଙ୍କୁ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନା ମୁତାବକ, ଛେଣ୍ଡିପଦା ବ୍ଲକରେ ମେଗା ଜଳ ପ୍ରକଳ୍ପ ପାଇଁ ଆନ୍ଧ୍ର ପ୍ରଦେଶର ନାଗାର୍ଜୁନ କମ୍ପାନୀ ଠିକା କାମ କରୁଛି। ଛେଣ୍ଡିପଦାରୁ ବସନ୍ତପୁରକୁ ପାଇପ ଲାଇନ ବିଛାଯାଇଥିବା ବେଳେ ଶନିବାର ରାତି ୮ଟା ବେଳେ ଧଉରାଖମଣ ନିକଟରେ ପାଇପର ଲିକେଜ ମରାମତି କାର୍ଯ୍ୟ ଚାଲିଥିଲା । ଏହି ସମୟରେ କୋଶଳାର ସନୁ ରାଉଳ ୫ ଫୁଟର ଗାତ ଭିତରେ ପଶି କାର୍ଯ୍ୟ କରୁଥିବା ବେଳେ ରାସ୍ତା କଡ଼ରେ ଗଦା ହୋଇଥିବା ମାଟି ଅତଡ଼ା ତାଙ୍କ ଉପରେ ଖସି ପଡ଼ିବାରୁ ସେ ଗାତରେ ପୋତି ହୋଇଯାଇଥିଲେ। ଦୀର୍ଘ ୧ ଘଣ୍ଟା ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
କମ୍ପାନୀର ସୁରକ୍ଷା ଅବହେଳାରୁ ସନୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରି ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ଓ ସମ୍ପର୍କୀୟ ଦାବି କରିଥିଲେ। ଏ ନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।

ପରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଅଗସ୍ତି ବେହେରା, କୋଶଳା ୧୬ ନଂମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦିଲ୍ଲୀପ କୁମାର ସାହୁ, କୋଶଳା ସରପଞ୍ଚ ପହଞ୍ଚି ପରିବାର, ପୋଲିସ, ଗ୍ରାମବାସୀ ଓ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ସୁଶାନ୍ତ କୁମାର ଦାସ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ଆଲୋଚନାରେ ପରିବାର ଲୋକଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଚୁକ୍ତି ହୋଇଥିଲା। ଏଥିସହ ଶୁଦ୍ଧି କ୍ରିୟା ପାଇଁ ଅଗ୍ରୀମ ୧ ଲକ୍ଷ ଟଙ୍କା କମ୍ପାନୀ ଦେବା ସହ ବୀମା ଅନୁଯାୟୀ ୧୫ ଲକ୍ଷର ଅନୁଦାନ ଓ ମୃତ ସନୁଙ୍କ ସ୍ତ୍ରୀଙ୍କୁ କୋଶଳାରେ ଥିବା ଆରଡବ୍ଲ୍ୟୁଏସଏସ କାର୍ଯ୍ୟାଳୟରେ ୫ ବର୍ଷ ପାଇଁ ଚାକିରି ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

Share

Leave a Reply