ତାଳଚେର: ଏମସିଏଲର ମନମାନି ଓ ଏନଏଚ୍ ୫୫ ନଂ ମରାମତି ଦାବିରେ ସେପ୍ଟେମ୍ବର ୧ ରେ ବିଜେଡି ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ କରାଯିବାକୁ ଭାରତୀୟ ଜାତୀୟ କଂଗ୍ରେସ ନିନ୍ଦା କରିଛନ୍ତି।
ତାଳଚେର ବିଧାୟକ ଏବଂ ଢେଙ୍କାନାଳ ସାଂସଦ ସମର୍ଥନ ଜଣାଇ ଆନ୍ଦୋଳନରେ ଯୋଗ ଦେବାକୁ ଅନୁରୋଧ କରିଥିବା ବେଳେ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି।
ଏ ଅବସରରେ କଂଗ୍ରେସ କହିଛି, ବିଧାୟକ ଏବଂ ସାଂସଦ ଆଜି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତା ଘାଟ ଏବଂ ସମାଧାନ କ୍ଷେତ୍ରରେ ତାଳଚେର ପାଇଁ କଣ କରିଛନ୍ତି। ବଅଁରପାଳ ଠାରୁ ବଲହର ଛକ ଦେଇ ଗୋଡ଼ିବନ୍ଧ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ପାଇଁ ୪ ଲେନ ରାସ୍ତା ନିର୍ମାଣ ବର୍ଷେ ପୂର୍ବରୁ ୭,୨୨,୫୫ କୋଟି ଟଙ୍କା ସରକାର ଅର୍ଥ ମଞ୍ଜୁରୀ କରିଥିଲେ ମଧ୍ୟ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଟେଣ୍ଡର ପ୍ରକ୍ରିୟା ସାରିବାକୁ ବର୍ଷ ବିତିଲାଣି। ଏଇ ବର୍ଷକ ମଧ୍ୟରେ ପ୍ରାୟ ଦଶରୁ ପନ୍ଦର ନିରୀହ ଜୀବନ ଚାଲିଗଲାଣି ସେଥିପ୍ରତି ସ୍ଥାନୀୟ ନିର୍ବାଚନ ଲୋକ ପ୍ରତିନିଧି ଭାବେ କଣ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
୧୪୯ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ରାସ୍ତାକୁ ଜାତୀୟ ରାଜପଥ ବିଭାଗ ଚାରି ଥାକିଆ କରିବା ପାଇଁ ବର୍ଷେ ପୂର୍ବରୁ ଟେଣ୍ଡର ୧୨ ସେପ୍ଟେମ୍ବର ୨୦୨୨ ରୁ ଟେଣ୍ଡର ଡକା ଯାଇଥିଲେ ମଧ୍ୟ ଆଜିପଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ କାହିଁକି ବିଧାୟକ ଏବଂ ସାଂସଦ ଜନହିତରେ ଜବାବ ରଖନ୍ତୁ ବୋଲି ପ୍ରଶ୍ନ କରାଯାଇଛି।
୧୪୯ ନମ୍ବର ରାଜପଥ ପାଖରେ ଥିବା ନିକଟବର୍ତ୍ତୀ ତାଳଚେରର ପୌରାଞ୍ଚଳ ଗ୍ରାମାଞ୍ଚଳର ଗ୍ରାମବାସୀ ରାସ୍ତା ଉପରକୁ ଆସିଲେ ନାହିଁ ନଥିବା ହଇରାଣ ହେବା ସହିତ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ରାସ୍ତା ଉପରେ ଛିଡା ରହୁଛନ୍ତି। ଲୋକ ପ୍ରତିନିଧି ଭାବେ ପଦକ୍ଷେପ ନନେବା ହେତୁ ଅକାରଣରେ ଅନେକ ଜୀବନ ୧୪୯ ନମ୍ବର ରାଜପଥ ଉପରେ ଚାଲିଗଲାଣି ବୋଲି କଂଗ୍ରେସ କହିଛି।
ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଆବଶ୍ୟକସ୍ଥଳେ ମଞ୍ଜୁରୀ ହୋଇଥିବା ୭୨୨,୫୫ କୋଟି ଟଙ୍କାକୁ ବିନିଯୋଗ କରି ଅବିଳମ୍ବେ ଜାତୀୟ ରାଜପଥ ବିଭାଗ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ ଚାରିଥାକିଆ ରାସ୍ତା ନିର୍ମାଣ କରି ଜନହିତରେ ଉତ୍ସର୍ଗ କରାଯାଉ। ନଚେତ ଆଗାମୀ ଦିନରେ ଜାତୀୟ କଂଗ୍ରେସ ସମୂହ ସ୍ୱାର୍ଥକୁ ଆଖି ଆଗରେ ରଖି ତାଳଚେର ବିଧାୟକ ଏବଂ ସାଂସଦଙ୍କୁ ଘେରିବାକୁ ବାଧ୍ୟ ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ କହିଛନ୍ତି।