ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଲେ ଜିଲ୍ଲା ଓବିସି ସେଲ ସଭାପତି, ପଦବୀରୁ ଇସ୍ତଫା ଦେଲେ

0

ଅନୁଗୁଳ: ଗତ ନିର୍ବାଚନରେ କଂଗ୍ରେସର ଭାରି ପରାଜୟ ନେଇ ଅନୁଗୁଳ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଅନୁଗୁଳ ଟିଭିକୁ ଏକ ସାକ୍ଷାତକାରରେ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟନାୟକ ଏବଂ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ବିରୁଦ୍ଧରେ ବିସୋଦଗାର କରିଥିଲେ। ଏହି ସାକ୍ଷାତକାର ପାଇଁ ରାଜ୍ୟ ଓବିସି ସେଲ ପକ୍ଷରୁ ଆଜି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିଜର ଅସନ୍ତୋଷ ବା ନିର୍ବାଚନ ସମୟରେ ଦଳ ପକ୍ଷରୁ ହୋଇଥିବା ତୃଟି ବିଚ୍ୟୁତି ସବୁକୁ ଦଳର ଉପଯୁକ୍ତ ଫୋରମରେ ଅବଗତ ନ କରାଇ ସିଧାସଳଖ ଗଣମାଧ୍ୟମରେ ପ୍ରକାଶ କରିବାକୁ ନେଇ ଦଳ ଶ୍ରୀ ସ୍ୱାଇଁଙ୍କ ଉପରେ କ୍ଷୁବ୍ଧ ହୋଇଥିଲା।

ଏହାର ପ୍ରତିକ୍ରିୟାରେ ଶ୍ରୀ ସ୍ୱାଇଁ ଆଜି ଅପରାହ୍ନରେ ଏକ ହୋଟେଲରେ ନିଜ ପଦବୀରୁ ଇସ୍ତଫା ଦେବା ସହ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ପୁଣି ବର୍ଷି ଥିଲେ। ରାଜ୍ୟ କଂଗ୍ରେସ ସଭାପତି ଶରତ ପଟନାୟକ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ା ଅଜୟ କୁମାର ଦଳୀୟ ଟିକେଟ ଦେବାରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛି ନ ଥିଲେ।ଅଯୋଗ୍ୟ ଅର୍ଥ ଲୋଭି ଓ ଅନାମଧ୍ୟେୟ ଲୋକଙ୍କୁ ଟିକେଟ ଦେବାରୁ ନିର୍ବାଚନରେ କଂଗ୍ରେସର ପରାଜୟ ହେଲା ଏବଂ ୯ ରୁ ୯୦ ସଂଖ୍ୟା ସ୍ୱପ୍ନରେ ରହିଗଲାବୋଲି ଅଭିଯୋଗ କରିଥିଲେ।

ଶ୍ରୀ ସ୍ୱାଇଁ ଅଭିଯୋଗ କରିଥିଲେ କି ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲା ସଭାପତି ବିଭିନ୍ନ କର୍ମୀ ଓ ନେତାଙ୍କୁ ନେଇ ଯେଭଳି ସମନ୍ୱୟ ବୈଠକ କରିବା କଥା ତାହା ଜାରି ନଥିଲେ।ଏହାଛଡା କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କ ସହ କୌଣସି ସମନ୍ୱୟ ନ ରଖିବାରୁ ଏବଂ ଅଲଗା ଅଲଗା ରୋଡ ସୋ କରିବାରୁ ତାହା ଭୋଟରଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ବହୁ ସମାଲୋଚନା ପରେ ସେ ଦଳୀୟ ହୋର୍ଡ଼ିଂରେ ଉଭୟଙ୍କ ଫଟୋ ଲଗାଇଥିଲେ।

ଶ୍ରୀ ସ୍ୱାଇଁ ମଧ୍ୟ କହିଥିଲେ କି ସେ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରି ଆସିଛନ୍ତି।ଦଳ ପକ୍ଷରୁ ତାଙ୍କୁ ଯେଭଳି ସହଯୋଗ ମିଳିବା କଥା ତାହା ମିଳିନାହିଁ। ଓଲଟା ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆ ଯାଇଛି। ତେଣୁ ସେ ବାଧ୍ୟ ହୋଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ଓବିସି ସେଲ ଓ ରାଜ୍ୟ କଂଗ୍ରେସ ସଭାପତି ଙ୍କ ପାଖକୁ ପଠାଇ ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!