କରୋନା କଷଣ : ପରିବା ବିକୁଛନ୍ତି ପାଲା ଗାୟକ

You are currently viewing କରୋନା କଷଣ : ପରିବା ବିକୁଛନ୍ତି ପାଲା ଗାୟକ

ଅନୁଗୁଳ: ଧୀରେ ଧୀରେ କରୋନା କଟକଣା କମୁଥିଲେ ବି ଏହି ମହାମାରୀ ଅନେକ ଲୋକଙ୍କ ବେଉସା ଉଜାଡ଼ି ଦେଇଛି। ଫଳରେ ତଳିତଳାନ୍ତ ହୋଇଯାଇଛି ଅନେକ ପରିବାର। କରୋନା ମାଡ଼ରେ ଅନେକ ଲୋକଙ୍କ ବୃତ୍ତି ଓ ପେସା ବଦଳିଯାଇଛି। ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାରୁ ଉଜୁଡ଼ିଯାଇଛି ହଜାର ହଜାର ପରିବାର। କରୋନା ମାଡ଼ରେ ଜୀବିକା ବଦଳାଇଥିବା ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ରାଜକିଶୋର ପଡ଼ାର ଜଗନ କୁମାର ରଥ। ବୟସ ୬୦ ଟପିଲାଣି।

ପୂର୍ବରୁ ଜଗନ ଅଞ୍ଚଳର ଜଣେ ଜଣାଶୁଣା ପାଲା ଗାୟକ ଥିଲେ। ମୁହଁରେ ପାଉଡର ମାଖି ହୋଇ ସେ ଯେତେବେଳେ ମଞ୍ଚ ଉପରେ ଠିଆ ହୋଇଯାଉଥିଲେ, ତାଳି ମାଡ଼ରେ କମ୍ପୁଥିଲା ଚତୁର୍ଦ୍ଦିଗ। ପ୍ରାୟ ୪୫ ବର୍ଷ ଧରି ସେ ପାଲା କରୁଥିଲେ। କିନ୍ତୁ ଏବେ ରାସ୍ତା କଡ଼ରେ ବିକୁଛନ୍ତି ପରିବା। କରୋନା କଟକଣା ଯୋଗୁ ପାଲା ବନ୍ଦ ଥିବାରୁ ହାତରେ କାମ ନ ଥିଲା। ଏଣୁ ପରିବାର ପୋଷିବାକୁ ବାଧ୍ୟ ହୋଇ ସେ ପରିବା ବିକ୍ରି କରୁଥିବା କହିଛନ୍ତି।
ଜଗନଙ୍କ କହିବାନୁସାରେ, ପାଲାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାକୁ ସରକାରୀ ଅନୁମତି ଅଛି।କିନ୍ତୁ କିଛି ଅଧିକାରୀ କେତେକ ନିର୍ଦ୍ଦିଷ୍ଟ ପାଲା ଗାୟକଙ୍କୁ ଗାଇବାକୁ ସୁଯୋଗ ଦେଉନାହାନ୍ତି। ଫଳରେ ଏବେ ବି ଅନେକ ପାଲା ଗାୟକ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ପ୍ରଶାସନ ଯଦି କିଛି ସାହାଯ୍ୟ କରନ୍ତା ତେବେ ସେ ପୁଣି ଆଗ ଭଳି ମଞ୍ଚକୁ ଫେରିପାରନ୍ତେ।

Share

Leave a Reply