ଖୁବ୍ ଶିଘ୍ର କାର୍ଯ୍ୟକ୍ଷମ ହେବ ତାଳଚେରରେ କୋଭିଡ ହସପିଟାଲ

You are currently viewing ଖୁବ୍ ଶିଘ୍ର କାର୍ଯ୍ୟକ୍ଷମ ହେବ ତାଳଚେରରେ କୋଭିଡ ହସପିଟାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସମ୍ପ୍ରତି ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପୁଥିବାରୁ ସଙ୍କ୍ରମିତମାନଙ୍କର ଚିକିତ୍ସା ପାଇଁ ପୁଣି ତାଳଚେର କୋଭିଡ ହସପିଟାଲକୁ କାର୍ଯ୍ୟକ୍ଷମ କରାଯିବାକୁ ସ୍ଥିର କରାଯାଇଛି। କୋଭିଡ ହସପିଟାଲ ସୁରୁଖୁରୁରେ ଚାଲିବା ପାଇଁ ସୋମବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ ହସପିଟାଲରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଏମ୍‌ସିଏଲ୍ କତ୍ତୃପକ୍ଷକୁ ପରାମର୍ଶ ଦେଇଛନ୍ତି। ଏହି କୋଭିଡ ହସପିଟାଲରେ ସମୁଦାୟ ୧୨୦ଟି ବେଡ୍ ରହିବ। ସେଥିରୁ ୯୦ଟି ଜେନେରାଲ ବେଡ୍ ଓ ୩୦ଟି ଆଇସିୟୁ ବେଡ୍ ରହିବ। ପ୍ରତ୍ୟେକ ଜେନେରାଲ ବେଡ୍ ପାଖରେ ଗୋଟିଏ ଲେଖାଏଁ ଅକ୍ସିଜେନ୍ ସିଲିଣ୍ଡର ରଖାଯିବ। ଏଥିସହ ୮ଟି ଆଇସିୟୁରେ ଭେଣ୍ଟିଲେଟର ରହିବ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। କୋଭିଡ ହସପିଟାଲରେ ୨ଜଣ ଡାକ୍ତର ୪୦ ଜଣ ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ରହିବେ। ତଳ ମହଲାରେ ପ୍ରଶାସନ ତରଫରୁ ଏକ ହେଲପ୍ ଡେସ୍କ ପ୍ରତିଷ୍ଠା କରାଯାଇ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ। ସିସିଟିଭି ମାଧ୍ୟମରେ ରୋଗୀର ସ୍ଥିତି ସମ୍ପର୍କରେ ଜଣାଇ ଦିଆଯିବ। ବୈଠକରେ କୋଭିଡ ହସପିଟାଲକୁ ଖାଦ୍ୟ ପାନୀୟ ଓ ବିଦ୍ୟୁତ ଯୋଗାଣ ସହ ଆବଶ୍ୟକ ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହିତ ବଅଁରପାଳ କୋଭିଡ କେୟାର ସେଣ୍ଟରରେ ୧୨୦ଟି ବେଡ୍, ଛେଣ୍ଡିପଦା କୋଭିଡ କେୟାର ସେଣ୍ଟରରେ ୨୭୦ଟି ବେଡ୍, ସରକାରୀ ପଲିଟେକିନିକ୍ ଅନୁଗୁଳଠାରେ ୧୦୦ଟି ବେଡ୍ ପ୍ରସ୍ତୁତ କରି ରଖାଯିବ। ରୋଗୀ ନେବା ଆଣିବା ପାଇଁ ଆବଶ୍ୟକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ସେହିପରି ତାଳଚେରରେ ମଧ୍ୟ ଖୁବ୍‌ ଶିଘ୍ର କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରି ଏମ୍‌ସିଏଲ ସହିତ ଏମ୍ଓୟୁ କରାଯାଇ କୋଭିଡ ହସପିଟାଲ ଚାଲିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସମେତ ଏମ୍‌ସିଏଲର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share

Leave a Reply