ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଧଣ୍ଡାତୋପା ଓ ଆରାମପୁର ଫରେଷ୍ଟ ବଙ୍ଗଳା ସମ୍ମୁଖରେ ଅଶୋକ କୁମାର ଧଳଙ୍କ ସଭାପତିତ୍ବରେ ସଂସ୍କୃତି ଓ କଳାପରିଷଦର ଆଲୋଚନା ଚକ୍ର ସବୁବର୍ଗର କଳାକାରଙ୍କୁ ନେଇ ଅନୁଷ୍ଠିତ ହୋଇଛି।
ସଂସ୍କୃତି ଓ କଳାପରିଷଦର ମୁଖ୍ୟ ତଥା ପୂର୍ବତନ କଟକ ଚୌଦ୍ୱାର ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ ଏହି ଆଲୋଚନା ଚକ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ଓଡ଼ିଶାର କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଦଣ୍ଡ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ ଗ୍ରାମାଞ୍ଚଳରେ ବେଶ୍ ମନଛୁଆଁ ହୋଇପାରିଛି। ଦଣ୍ଡନୃତ୍ୟର ସୁଆଙ୍ଗ ବାଇଧନ, ପତର ସଉରା, ବୀଣାକାର ଆଦି କଳାକାର ଭାରତ ତଥା ବିଦେଶକୁ ଯାଇ କଳାପରିବେଷଣ କରିଆସୁଛନ୍ତି ବୋଲି ଅତିଥିମାନେ କହିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ଅମାସମା ଉପର ସାହି, ତଳସାହି, ଧଣ୍ଡାତୋପା,,ଆରାମପୁର,ତାବଡା, କୃର୍ତ୍ତିବାସପୁରରୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଓ କଳା ପରିଷଦ ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ରାଜ୍ୟ ସହ ସମ୍ପାଦକ ଶେଷ ଦେବ ସାହୁ, ରାଜ୍ୟ ସଂଯୋଜକ ବ୍ରହ୍ମାନନ୍ଦ କୁମ୍ଭୀର, ସ୍ଥାନୀୟ ସରପଞ୍ଚ ଚାରୁଲତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।