ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି।
ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ଓଡିଶା ପୋଲିସ ଜମନତାରାରୁ ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନୁଗୁଳ ପୋଲିସ ଅପରାଧୀଙ୍କୁ ସାଙ୍ଗରେ ନେଇ ଓଡିଶାକୁ ଆସୁଛି। ଜମନତାର ସାଇବର କ୍ରାଇମବ୍ରାଞ୍ଚ ସହାୟତାରେ ଅନୁଗୁଳ ପୋଲିସ ଜମନତାରା ସାଇବର ଠକଙ୍କ ଉପରେ ଚଢ଼ଉ କରିଥିଲା । ଆଉ ଜଣଙ୍କୁ ଧରିବାରେ ସଫଳ ହେବା ସହ ତା ଠାରୁ ଏକ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅନୁଗୁଳ ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକ ଭାବେ କାମ କରୁଥିବା ମାନସ ରଞ୍ଜନ ଖୁଣ୍ଟିଆ ବ୍ୟାଙ୍କ୍ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା। ଶନିବାର ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ କହିଥିଲେ, ଆପଣଙ୍କ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ? ମାନସ ଚାହୁଁଥିଲେ ସେୟା । ତେଣୁ ହଁ କହିଥିଲେ।
ପରେ ଉକ୍ତ ବ୍ୟକ୍ତି ତାଙ୍କ ମୋବାଇଲକୁ ଏକ ଲିଙ୍କ୍ ପଠାଇଥିଲେ। ଏଥିସହ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲା। ପଠାଯାଇଥିବା ଲିଙ୍କକୁ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା । ମାନସ ସେୟା ହିଁ କରିବା ପରେ ତାଙ୍କ ଆକାଉଣ୍ଟରୁ ୩ ଥରରେ ମୋଟ୍ ୪ଲକ୍ଷ, ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା କଟିଥିଲା । ଏ ନେଇ ମାନସ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସାଇବର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଜମନତାରାରେ ପହଞ୍ଚିଥିଲା। ସେଠାରୁ ସାଇବର ଅପରାଧୀ ରିୟାଜୁଦିନ ଅନସାରୀକୁ ଧରିବାରେ ପୋଲିସ ସଫଳ ହୋଇଛି। ରିୟାଜୁଦିନଙ୍କ ଘର ଝାଡ଼ଖଣ୍ଡର ମୋହରା ବୋଲି ଜଣାଯାଇଛି।