ବଇଣ୍ଡା: ଜ୍ୟୋତିଷ ଶିରେମଣି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା କୁଶକିଳା ଗାଁର ଜ୍ୟୋତିର୍ବିଦ ଡାଲଟନ୍ ମହାପାତ୍ର। ଭୁବନେଶ୍ବରର ଏକ ହୋଟେଲରେ ଇଣ୍ଡିଆନ୍ ବାସ୍ତୁ ଆଣ୍ଡ ଆଷ୍ଟ୍ରୋଲୋଜିକାଲ ରିସର୍ଚ୍ଚ ସେଣ୍ଟର ଦ୍ବାରା ୧୧ ଓ ୧୨ ତାରିଖରେ ଆୟୋଜିତ ୨ ଦିନିଆ ଅନ୍ତର୍ଜାତୀୟ କର୍ମଶାଳାରେ ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ଆୟୋଜକ ସଂସ୍ଥାର ମୁଖ୍ୟ ଡ଼ଃ ପୀୟୁଷ ପିପାସୁ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପାଟଶାଣି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। କର୍ମଶାଳାରେ ଦେଶ ଓ ବିଦେଶର ଜ୍ୟୋତିର୍ବିଦମାନେ ସାମିଲ ହୋଇ ମାନବ ସମାଜର ଉନ୍ନତି ପାଇଁ ବାସ୍ତୁ ବିଚାର ଓ ଜ୍ୟୋତିଷ ଶାସ୍ତ୍ରର ବିଭିନ୍ନ ସୂକ୍ଷ୍ମ ଦିଗ ନେଇ ଆଲୋଚନା କରିଥିଲେ।
ଅନୁଗୁଳ ଜିଲ୍ଲା କୁଶକିଳା ଗାଁର ଯୁବ ଜ୍ୟୋତିର୍ବିଦ ଡ଼ାଲଟନ୍ଙ୍କ କୌଳିକ ବୃତ୍ତି ଜ୍ୟୋତିଷି ହୋଇଥିବାରୁ ସେ ପିଲାଟି ଦିନରୁ ନିଜର ଜେଜେ ବାପା ଓ ବାପାଙ୍କ ଠାରୁ ଜ୍ୟୋତିଷ ଶାସ୍ତ୍ର ଶିକ୍ଷା କରିଥିଲେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଦ ଡଃ ହଳଧର ହୋତା, ଡଃ ନନ୍ଦକିଶୋର ପୁରୋହିତ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୁଲୋଚନା ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।