ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ଗ୍ୟାରେଣ୍ଟି କାର୍ଡ ଜାରି କରିଛି କଂଗ୍ରେସ। ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅନେକ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେବା ସହ ଇତି ମଧ୍ୟରେ ଏହି ଗ୍ୟାରେଣ୍ଟିକୁ ଉନ୍ମୋଚିତ କରିଛି ପ୍ରଦେଶ କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଗ୍ୟାରେଣ୍ଟି କାର୍ଡକୁ ଉନ୍ମୋଚନ କରି ଦିଆଯାଇଥିବା ଗ୍ୟାରେଣ୍ଟିଗୁଡିକ ଘୋଷଣା କରିଥିଲେ।
କଂଗ୍ରେସ ପକ୍ଷରୁ ମୁଖ୍ୟତଃ ୫ଟି ଯୋଜନା ମାଧ୍ୟମରେ ଅନେକ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ପାଇଁ ଦିଆଯାଇଛି। ସେହି ଗ୍ୟାରେଣ୍ଟି ଗୁଡ଼ିକ ମଧ୍ୟରେ ରହିଛି ପ୍ରଥମରେ ଗୃହ ଜ୍ୟୋତି ଯୋଜନା, ଯେଉଁଥିରେ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ। ଦ୍ବିତୀୟଟି ଯୁବ ବିକାଶ ଯୋଜନା, ଯେଉଁଥିରେ ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିବା ସହିତ ମାସିକ ୩୦୦ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ। ତୃତୀୟଟି ରହିଛି କୃଷକ ବନ୍ଧୁ ଯୋଜନା, ଯେଉଁଥିରେ ଚାଷୀଙ୍କୁ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା କରିବ କଂଗ୍ରେସ। କୃଷି ଋଣ ଛାଡ ସାଙ୍ଗକୁ କୃଷକ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ଦିଆଯିବ। ଚତୁର୍ଥଟି ହେଉଛି ଗୃହଲକ୍ଷ୍ମୀ ଯୋଜନା, ଯେଉଁଥିରେ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ସାଙ୍ଗକୁ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨୦୦୦ ଟଙ୍କା ଭତ୍ତା ଓ ଦଳିତ ମହିଳାଙ୍କୁ ୩୦୦୦ ଟଙ୍କା ଭତ୍ତା ଏବଂ ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର ଦିଆଯିବ। ପଞ୍ଚମଟି ହେଉଛି ଜନକଲ୍ୟାଣ ଯୋଜନା, ଯେଉଁଥିରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା, ଚିଟଫଣ୍ଡ ଜମାକାରୀ ମାନଙ୍କୁ ୬ ମାସରେ ଟଙ୍କା ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ, ଆଦିବାସୀ ଓ ଦଳିତମାନଙ୍କ ନିଜ ଜମି ଏବଂ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକାର ସାଙ୍ଗକୁ ୧୦୦ ଦିନ ମଧ୍ୟରେ ପେସା ଆଇନ କଡ଼ାକଡ଼ି କରାଯିବ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ଉପସଭାପତି ଚିତ୍ତରଞ୍ଜନ ନାଏକ, ଦୁଷ୍ମନ୍ତ ଦଳବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ବ୍ଲକ ସଭାପତି ଅମୂଲ୍ୟ ବେହେରା, ଅମୀୟ ମିଶ୍ର, ବିମଳ ବେହେରା, ରାକେଶ ମିଶ୍ର, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।