ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଶଙ୍ଖମୁର ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ନୀଳମାଧବ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ୧୫ରୁ ଊର୍ଦ୍ଧ୍ବ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ନୀଳମାଧବ ପ୍ରଧାନ ରବିବାର ସନ୍ଧ୍ୟାରେ ହାଇସ୍କୁଲ ଛକ ନିକଟରେ ବୈଦ୍ୟନାଥପୁର ଗାଁର ଉମାକାନ୍ତ ତ୍ରିପାଠୀଙ୍କ ସହିତ ନିଜ କାର ଭିତରେ ବସିଥିଲେ। ଏହି ସମୟରେ ଶଙ୍ଖମୁର ଗାଁର ବବଲୁ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ, ବେସାଲିଆ ଗାଁର ବିଭୂତି ପ୍ରଧାନଙ୍କ ସମେତ ୧୫ରୁ ଅଧିକ ଯୁବକ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ନୀଳମାଧବ ପ୍ରତିବାଦ କରିବାକୁ ତାଙ୍କୁ ବାଡ଼ିଆପିଟା କରିଥିଲେ। ସେ ପ୍ରାଣ ବିକଳରେ ପ୍ରଥମେ ଡାକ୍ତରଖାନାରେ ପହଞ୍ଚି ଥିଲେ।ପ୍ରାଥମିକ ଚିକିତ୍ସା ପରେ ରାତିରେ ଥାନାରେ ଅଭିଯୋଗ କରିଥିଲେ।
ଏହି ଘଟଣାକୁ ପାଳଲହଡ଼ା ବିଜେଡି ଦୃଢ ନିନ୍ଦା କରିବା ସହିତ ରାଜନୈତିକ ଆକ୍ରୋଶମୂଳକ ଆକ୍ରମଣ ବୋଲି ଅଭିଯୋଗ କରିଛି। ଦୋଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ବିଜେଡି ବ୍ଲକ ସଭାପତି ରଞ୍ଜିତ କୁମାର ବିଶ୍ଵାଳ ଦାବି କରିଛନ୍ତି। ନଚେତ୍ ଖମାର ଥାନା ଘେରାଉ କରାଯିବ ବୋଲି ପାଳଲହଡ଼ା ପୂର୍ବତନ ବିଧାୟକ ମୁକେଶ କୁମାର ପାଲ ଲିଖିତ ଭାବେ ଖମାର ଥାନା ଅଧିକାରୀଙ୍କୁ ଜଣାଇଛନ୍ତି।
ଅନ୍ୟପଟେ ପ୍ରଭାତ ପ୍ରଧାନ, ସୌମ୍ଯ ରଂଜନ ପ୍ରଧାନ ଏବଂ ବିଭୂତି ପ୍ରଧାନଙ୍କୁ ନୀଳମାଧବ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ସେ ଖମାର ଥାନାରେ ପାଲଟା ଅଭିଯୋଗ କରିଥିବା ସୂଚନା ମିଳିଛି।