ରାଜ୍ୟରେ ଅଧିକ ୭୪ ଟି ମଦ ଦୋକାନ, ୩ ଟି ମଦ କାରଖାନା ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ ଦାବି

You are currently viewing ରାଜ୍ୟରେ ଅଧିକ ୭୪ ଟି ମଦ ଦୋକାନ, ୩ ଟି ମଦ କାରଖାନା ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ ଦାବି

ଅନୁଗୁଳ: ରାଜ୍ୟରେ ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ପୁନଃ ଖୋଲିବା ଏବଂ ନୂତନ ୪ଟି ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବାତିଲ କରିବା ସହ ମଦ, ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର କାରବାର ନିଷିଦ୍ଧ କରିବା ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହ ଅନୁଗୁଳର ୧୧ ବର୍ଷୀୟା ନାବାଳିକା ଜସ୍ମିନ ସେଠ୍‌ଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ସୌମ୍ୟଶ୍ରୀ ଓ ବଳଙ୍ଗା ଘଟଣା ସମେତ ରାଜ୍ୟରେ ସମ୍ପ୍ରତି ଘଟିଥିବା ଅପରାଧର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଏବଂ ଇଣ୍ଟରନେଟ ଓ ଗଣମାଧ୍ୟମରେ ଅଶ୍ଳୀଳତା, ନଗ୍ନତା, ଯୌନ ବ୍ୟଭିଚାର ଓ ଅପରାଧ ପ୍ରବୃତ୍ତିର ପ୍ରଚାର ବନ୍ଦ କରିବା ଆଦି ଦାବି ଉଠାଇଛି ଏହି ସଂଗଠନ।

ସେପ୍ଟେମ୍ବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସାରା ଓଡ଼ିଶା ପ୍ରତିବାଦ ସପ୍ତାହ ଅବସରରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସଂଗଠିକା ବବିତା ସାହୁ, ନର୍ମଦା ସାହୁ ଓ ଜମ୍ବୁବତୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବି.ଡି.ଓ.ଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ର ମାଧ୍ୟମରେ ସଂଗଠନ ସାମାଜିକ ସୁରକ୍ଷା, ନାରୀ ନିରାପତ୍ତା ଓ ନୈତିକ ମୂଲ୍ୟବୋଧ ସଂରକ୍ଷଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଜୋରଦାର ଅନୁରୋଧ କରିଛି। ଏହି ପ୍ରତିବାଦ ସପ୍ତାହ ଜରିଆରେ ରାଜ୍ୟରେ ମଦ ଓ ଅପରାଧ ସମ୍ବନ୍ଧୀୟ ସମସ୍ୟା ଉପରେ ସାଧାରଣରେ ସଚେତନତା ସୃଷ୍ଟି କରିବା ସହ କଠୋର ଆଇନଗତ ପଦକ୍ଷେପ ନେବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Share

Leave a Reply