ରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ ପାଇଁ ଦାବି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

You are currently viewing ରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ ପାଇଁ ଦାବି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ତାଳଚେର: କୋଇଲା ଖଣିଗୁଡ଼ିକରୁ ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲଦେଇ ଢାଙ୍କିବାକୁ ନିୟମ ଥିଲେ ମଧ୍ୟ ତାଳଚେରରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଫଳରେ କୋଇଲାଗୁଣ୍ଡ ଉଡ଼ି ତାଳଚେର ଅଞ୍ଚଳରେ ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଆଜି ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୭-୧୮ ମସିହାରୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତରଫରୁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡିକରେ ପାଲ ଭିଡି ଯାତାୟାତ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ,ଏମ୍‌.ସି.ଏଲ୍‌. କର୍ତ୍ତୃପକ୍ଷ ଓ ରେଳ ବିଭାଗକୁ ବାରମ୍ବାର ଅବଗତ କରାଯାଉଛି। ଗତ ୨୦୨୧ ମସିହା ଜାନୁଆରୀ ୧୩ରେ ଏହି ପ୍ରସଙ୍ଗକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ସଂଘ ତରଫରୁ ଗଣଧାରଣା ଦିଆଯାଇଥିଲା। ମାତ୍ର ଏମ୍‌.ସି.ଏଲ୍‌. ମିଥ୍ୟା ଅଭିଯୋଗ କରି ସଂଘର କର୍ମକର୍ତ୍ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ।

ତେବେ ଆଗାମୀ ଦିନରେ ରେଳ ୱାଗନଗୁଡିକ କୋଇଲା ପରିବହନ ବେଳେ ପାଲ ନ ଭିଡି ଯାତାୟାତ କଲେ ବିରାଟ ଜନ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଦାବିପତ୍ର ଯୋଗେ ଚେତାଇ ଦିଆଯାଇଛି। ଆଜି ଦାବି ପତ୍ର ପ୍ରଦାନ ବେଳେ ରାଜକିଶୋର ସାହୁ, ପ୍ରଭାତ କୁମାର ରଥ, ପ୍ରଦୀପ କୁମାର ମହାରଣା, ବିନୋଦ ଲାଲ, ହରେକୃଷ୍ଣ ମହାପାତ୍ର, ଶୋଭାଗିନୀ ଦାସ, ଗଗନ ବିହାରୀ ଦାସ, ସୁବାଷ ଚନ୍ଦ୍ର ଗୋଛାୟତ, ପ୍ରତାପ ପରିଡ଼ା, ସତ୍ୟଭାମା ବେହେରା, ମନୋଜ ଗଡ଼ନାୟକ ଓ ଅଭୟ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply