ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କଣ୍ଢାଳ ପଂଚାୟତର ବିଭିନ୍ନ ଗ୍ରାମରେ ଦେଖାଦେଇଥିବା ଉତ୍କଟ ଜଳସଙ୍କଟର ସମାଧାନ ପାଇଁ ସରପଞ୍ଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପଞ୍ଚାୟତର ତାଳବେଡ଼ା, ଏକାଦଶୀପୁର, ବନମାଳିପୁର, ଦାସରଥିପୁର ଓ ସୌଭାଗ୍ୟନଗର ଅଂଚଳକୁ ଏଲଏନଟି ଏବଂ ଏମସିଏଲ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ମାତ୍ର ୧୪୯ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ବେପରୁଆ ଭାବେ ଡୋଜର ସାହାଯ୍ୟରେ ମାଟି ଖୋଳାଯିବା ଫଳରେ ମୁଖ୍ୟ ପାଇପ ଲାଇନଗୁଡ଼ିକ କଟିଯାଇଛି।
ରାସ୍ତା କାମ କରୁଥିବା କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଂଚଳରେ ପାନୀୟ ଜଳ ପାଇଁ ହାହାକାର ପଡ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ୱାର୍ଡମେମ୍ବର ଉମାମଧବ ଆଚାର୍ଯ୍ୟ, ପୂର୍ଣ୍ଣିମା ପ୍ରୀତିଛନ୍ଦା ହୋତା, ରବି ଶତପଥୀ, କେଶବ ବେହେରା ଓ ସଂଗ୍ରାମ ବେହେରା ପ୍ରମୁଖ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ତୁରନ୍ତ ପାଇପ ଲାଇନ ମରାମତି କରାଯାଇ ଜଳ ଯୋଗାଣ ସ୍ବାଭାବିକ କରା ନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।











