ଅନୁଗୁଳ: କଣିହାଁ ବ୍ଳକ୍ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ କାରଖାନାକୁ କୋଇଲା ପରିବହନରେ ସ୍ଥାନୀୟ ଟ୍ରକ୍ ମାଲିକମାନଙ୍କୁ ଉପେକ୍ଷା କରାଯାଉଛି । ଜମିବାଡ଼ି ହରାଇ ଗାଡ଼ି କରି ଗୁଜୁରାଣ ମେଣ୍ଟାଉଥିବା ଗାଡ଼ିମାଲିକଙ୍କୁ ଅଣଦେଖା କରି ବାହାର ଇଲାକାର ଗାଡ଼ିକୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ କରି ମଙ୍ଗଳବାର କଣିହାଁ କୋଇଲା ଖଣି ସମ୍ମୁଖରେ ରିଜିଓନାଲ ଟ୍ରକ ମାଲିକ ସଂଘ ତରଫରୁ ଧାରଣା ଦିଆଯାଇଥିଲା । ଫଳରେ ଜେଆଇଟିପିଏଲକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା । କଣିହାଁ ଅତିରିକ୍ତ ତହସିଲଦାର ରବୀନ୍ଦ୍ର ସାମଲ, କଣିହାଁ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଟ୍ରକ ମାଲିକ ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ବୈଠକ ବସି ଆଲୋଚନା ହେବା ପରେ ସଂଘ ଧରଣାରୁ ଓହରିଥିଲା । ଆସନ୍ତା ସପ୍ତାହରେ ଏ ପ୍ରସଙ୍ଗରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ପ୍ରକାଶ କରିଥିଲେ । ସଂଘ ସଭାପତି ସତ୍ୟସ୍ବରୂପ ପ୍ରଧାନ, ସମ୍ପାଦିକ ଆଲୋକ ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, କଣିହାଁ ସମିତିସଭ୍ୟ ଦେବେନ୍ଦ୍ର ବାରିକ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦେବଦତ୍ତ ପ୍ରଧାନ ପ୍ରମୁଖ ଧାରଣାରେ ବସିଥିଲେ।
କୋଇଲା ପରିବହନରେ ସ୍ଥାନୀୟ ଟ୍ରକଗୁଡ଼ିକୁ ଅଗ୍ରାଧିକାର ଦାବି
- Post published:March 17, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
