ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଷ୍ଟେସନରେ କୋଇଲା ଡିପୋକୁ ନେଇ ଜରପଡ଼ା ଷ୍ଟେସନରେ ୯ଟି ପଞ୍ଚାୟତର ଅଧିବାସୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜରପଡା ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘ ଡାକରାରେ ଆଖ ପାଖ ଅଞ୍ଚଳର ୯ଟି ଗ୍ରାମ ପଞ୍ଚାୟତର ଅଧିବାସୀ ଜରପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ରେଲୱେ ଷ୍ଟେସନ ଠାରେ ଥିବା କୋଇଲା ଡିପୋକୁ ବନ୍ଦ କରିବା ଦାବିରେ ଏକ ବିରାଟ ରାଲିରେ ବାହାରି ଷ୍ଟେସନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନୁଗୁଳ ଜିଲ୍ଲାରେ ଥିବା ବିଭିନ୍ନ କୋଇଲା ଖଣିରୁ କୋଇଲା ପରିବହନ କରି ଜରପଡା ଷ୍ଟେସନ ଠାରୁ ଟ୍ରେନ ମାଧ୍ୟମରେ ବାହାର ରାଜ୍ୟକୁ ଚାଲାଣ କରାଯିବ।
ଏନେଇ ମେଟାଫ୍ରାଜିଟ ଲଜିଷ୍ଟିକ କମ୍ପାନୀ ପକ୍ଷରୁ ଷ୍ଟେସନ ଠାରେ କୋଇଲା ଡିପୋ ପରିବହନ କାର୍ଯ୍ୟ କରାଯାଉଛି। ଷ୍ଟେସନରେ ଏହି ଡିପୋ ହେବା ଦ୍ୱାରା ଜନ ଜୀବନ ଜୀବିକା ପ୍ରଭାବିତ ହେବେ। ଏନେଇ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ଡାକରାରେ ୯ଟି ପଞ୍ଚାୟତର ଶହଶହ ଜନ ସାଧାରଣ ଏକ ବିରାଟ ରାଲିରେ ଆସି କୋଇଲା ଡିପୋ ବନ୍ଦ ଦାବିରେ ଗର୍ଜି ଥିଲେ। ପରେ ସମ୍ବଲପୁର ଡିଭିଜନର ଡିଭିଜନାଲ ରେଳୱେ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଜରପଡ଼ା ଷ୍ଟେସନ ମାଷ୍ଟରଙ୍କୁ କୋଇଲା ଡିପୋ ବନ୍ଦ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ବିକ୍ଷୋଭରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘର ଆବାହକ ଜୀବନାନନ୍ଦ ସାହୁ, ଦଳିତ ମହାସଙ୍ଘର ସଭାପତି ପ୍ରମୋଦ କୁମାର ବେହେରା, ଚିତ୍ତରଞ୍ଜନ ଦାଶ, କହ୍ନେଇ ସାହୁ, ଅଜିତ କୁମାର ସାହୁ, ପ୍ରଦୀପ କୁମାର ସାହୁ, ସଂଗ୍ରାମ ପ୍ରଧାନ, ମାନସୀ ବେହେରା, ଅପର୍ଣ୍ଣା ସାହୁ, ଜିତେନ୍ଦ୍ର ପ୍ରଧାନଙ୍କ ସମେତ ୫୦୦ ରୁ ଊର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ।











