ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବି: ସିଡିଏମ୍ଓଙ୍କୁ ସ୍ମାରକପତ୍ର ଦେଲା ଜିଲ୍ଲା ଜନଜୀବନ ସୁରକ୍ଷା କମିଟି

You are currently viewing ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବି: ସିଡିଏମ୍ଓଙ୍କୁ ସ୍ମାରକପତ୍ର ଦେଲା ଜିଲ୍ଲା ଜନଜୀବନ ସୁରକ୍ଷା କମିଟି

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ସହ ଅନ୍ୟ ଦାବି ନେଇ ଆଜି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ଖାଲି ପଡ଼ିଥିବା ଭେଷଜ ଓ ଚର୍ମରୋଗ ବିଶେଷଜ୍ଞ ନିଯୁକ୍ତି କରିବା, ଅଲଟ୍ରାସାଉଣ୍ଡ ଓ ଇକୋ ମେସିନ୍ ପ୍ରତିଷ୍ଠା କରିବା, ଟ୍ରମା କେୟାର୍, ଆଇ.ସି.ୟୁ.ର ବ୍ୟବସ୍ଥା କରିବା ଆଦି ନେଇ ମଧ୍ୟ ଦାବି କରାଯାଇଥିଲା।

ଏହାର ଉତ୍ତରରେ ସି.ଡି.ଏମ୍.ଓ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାରେ ବିଦ୍ୟୁତକରଣ କାର୍ଯ୍ୟ ଶେଷ ହୋଇନାହିଁ, କାମ ସରିଲେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଦୁଇଟି ଅଲ୍‌ଟ୍ରାସାଉଣ୍ଡ ମେସିନ୍ ମଧ୍ୟରୁ ଗୋଟିଏ ମେସିନ୍ ସ୍ତ୍ରୀ ଓ ପ୍ରସୂତୀ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ରହିଛି। ଅନ୍ୟ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଅନ୍ୟ ସମସ୍ୟା ମଧ୍ୟ ସମାଧାନ କରାଯିବ ବୋଲି ସେ କହିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ କମିଟିର ଅନ୍ୟତମ ଆବାହକ ଶିକ୍ଷାବିତ୍ ଅଭିମନ୍ୟୁ ସ୍ଵାଇଁ, ରମେଶ ସାହୁ, ପଠାଣୀ ବାରିହା, ତୀର୍ଥବାସୀ ଭୋଇ, ମାନସ ପାଳ, ଦାମୋଦର ଦାସ,ନିରୋଦ ଚନ୍ଦ୍ର ପାଳ, ଅଶୋକ କୁମାର ପ୍ରଧାନ, ବ୍ରଜବନ୍ଧୁ ସାହୁ, ନିରୂପମା ପ୍ରଧାନ, ବିଷ୍ଣଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply