ଅନୁଗୁଳ: ଘରୋଇ ଟେଲିକମ୍ କମ୍ପାନୀ ପକ୍ଷରୁ ଜୁଲାଇ ୩ ରୁ ବର୍ଦ୍ଧିତ ମୋବାଇଲ୍ ରିଚାର୍ଜ ଓ ଡାଟାପ୍ୟାକ୍ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ଏହାକୁ ବିରୋଧ କରି ଡି.ଓ୍ବାଇ.ଓ. ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି।
ମଙ୍ଗଳବାର ପୂର୍ବାହ୍ନରେ ସଂଗଠନ ପକ୍ଷରୁ ଅନୁଗୁଳ ସହର ରାଜାଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି। କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ରାଜ୍ୟ ସଭାପତି ମାନସ ପାଳ, ଜ୍ୟୋତ୍ସ୍ନା ସାମଲ, ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ନବକିଶୋର ପ୍ରଧାନ ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀମାନଙ୍କ ସ୍ଵାର୍ଥରେ ଟେଲିକମ୍ ଲେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI)ର ଅନୁମୋଦନ କ୍ରମେ କରାଯାଉଥିବା ମୂଲ୍ୟବୃଦ୍ଧିକୁ ଦୃଢ଼ ବିରୋଧ କରିଥିଲେ। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ।
ଜୁଲାଇ ୩ରେ TRAIକୁ ଗଣ ପ୍ରତିବାଦ ପାଇଁ ବ୍ୟାପକ ସଂଖ୍ୟାରେ ମେଲ୍ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ବିଷ୍ଣୁ ସାହୁ, ମଳୟ ବେହେରା, ଲମ୍ବୋଦର ପଣ୍ଡା, ପ୍ରଭାତ ପ୍ରଧାନ, ଦୁଃଖବନ୍ଧୁ ବେହେରା, ଉଲ୍ଲାସ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।