ଅନୁଗୋଳ: ଭୋଟର ତାଲିକାରେ ନାମ ଯୋଡିବାକୁ ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେଲା। ଫର୍ମ-୬ରେ ଲାଗୁ ହୋଇଥିବା ଅତିରିକ୍ତ ଘୋଷଣାନାମାକୁ ହଟାଇ ଦେଲେ ଭାରତ ନିର୍ବାଚନ ଆୟୋଗ।
ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR-୨୦୨୬ ସରିଛି। ଏହା ପରେ ଅନେକ ଯୋଗ୍ୟ ନାଗରିକଙ୍କ ନାମ ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏଣିକି ଫର୍ମ-୬ ଦାଖଲ ବେଳେ ୨୦୦୨ ଭୋଟର ତାଲିକା ସମ୍ପର୍କିତ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ। ପିତାମାତା କିମ୍ବା ଜେଜେବାପା/ଜେଜେମାଙ୍କ ନାମ ୨୦୦୨ ତାଲିକାରେ ଥିଲା କି ନାହିଁ, ସେ ନେଇ ଘୋଷଣାନାମା ବି ଦରକାର ନାହିଁ।
ଯୋଗ୍ୟ ନାଗରିକମାନେ ସିଧାସଳଖ ଅନଲାଇନ୍ କିମ୍ବା ବିଏଲଓ ଙ୍କ ଜରିଆରେ ଫର୍ମ-୬ ଦାଖଲ କରିପାରିବେ। ତେବେ ଆବେଦନ ଦେଲେ ହିଁ ନାମ ଯୋଡି ହେବ ନାହିଁ। ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ପରେ ହିଁ ଇ-ଆର-ଓ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।












