ଅନୁଗୁଳ: ସମୟ ବଦଳିଲେ ମଣିଷର ମନ ଆଉ ମନ୍ତ୍ରୀଙ୍କ ମତ କେମିତି ବଦଳିଯାଏ, ତା’ର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଦିନେ ବିଜେଡି ସରକାର ସମୟରେ ବିଜୁଳି କାଟ୍ ହେଲେ ଯେଉଁ କେଭି ସିଂ ଦେଓ ରାଜପଥରେ ବର୍ଷାରେ ଭିଜି ଭିଜି ଧାରଣା ଦେଉଥିଲେ, ଆଜି ସେ ନିଜେ ଉପମୁଖ୍ୟମନ୍ତ୍ରୀ ଆସନରେ ବସି ଓଲଟା ମତ ଦେଉଛନ୍ତି।
ସେତେବେଳେ ସରକାରଙ୍କ ଉପରେ ଗର୍ଜୁଥିବା ନେତା ଜଣକ ଆଜି ସମ୍ପୂର୍ଣ୍ଣ ଓଲଟା ସୁର ଗାଉଛନ୍ତି। ଏବେ ଲାଇନ କଟିଲେ ମନ୍ତ୍ରୀ ମହାଶୟ କହୁଛନ୍ତି-“ଅଧିକ ହିଟୱେଭ୍ ଯୋଗୁଁ ଲୋକେ ଏସି ଚଳାଉଛନ୍ତି, ସେଥିପାଇଁ ଲୋଡ୍ ସହି ନପାରି ବିଜୁଳି କଟୁଛି!”
ମନ୍ତ୍ରୀ ହେବା ପୂର୍ବରୁ ବୋଧେ ତାଙ୍କୁ ଜଣା ନଥିଲା ଯେ ଓଡ଼ିଶାରେ ଖରାଦିନେ ଗରମ ହୁଏ ଆଉ ଲୋକେ ଏସି, କୁଲର ଚଲାନ୍ତି। ନିଜେ ବିରୋଧୀ ଦଳରେ ଥିବା ବେଳେ ଯାହା ‘ସରକାରୀ ବିଫଳତା’ ଥିଲା, ଆଜି ନିଜ ହାତକୁ କ୍ଷମତା ଆସିବା ପରେ ତାହା ‘ଜନସାଧାରଣଙ୍କ ଏସି ବ୍ୟବହାର’ର ଦୋଷ ପାଲଟିଯାଇଛି। ସତରେ, ନେତାଙ୍କର ଏଇ “ଗୋଟିଏ ମୁହଁରେ ଦୁଇଟି କଥା” ଏବେ ସାଧାରଣରେ ଚର୍ଚ୍ଚାର ବେଶ୍ ଖୋରାକ ଯୋଗାଇଛି।











